ଭୁବନେଶ୍ବର: ଘରୋଇ ଏବଂ ବୈଶ୍ବିକ ନିବେଶକଙ୍କ ପାଇଁ ନିବେଶର ଗନ୍ତବ୍ୟସ୍ଥଳ ହେବ ଓଡିଶା । ଏଥି ନିମନ୍ତେ ଓଡ଼ିଶା ରାଜ୍ୟ ସରକାର ବୟନ, ପୋଷାକ ଏବଂ ବୈଷୟିକ ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି । ଚଳିତ ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ରାଜ୍ୟ ସରକାର ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆୟୋଜନ କରିବାକୁ ଯାଉଛନ୍ତି ।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର କୁମାର ଜେନାଙ୍କ ନେତୃତବରେ ଏକ ପ୍ରତିନିଧି ଦଳ ବେଙ୍ଗାଲୁରୁ ଗସ୍ତରେ ଯିବେ । ଏହି ପ୍ରତିନିଧି ଦଳରେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଏକ ବରିଷ୍ଠ ପ୍ରତିନିଧି ଦଳ ଏହି ବୈଠକରେ ଯୋଗ ଦେବେ । ମଇ ୧୭ ତାରିଖରେ ବେଙ୍ଗାଲୁରୁର ହୋଟେଲ ‘ତାଜ ୱେଷ୍ଟ ଏଣ୍ଡ’ ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ ଅନୁଷ୍ଠିତ ହେବ । ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାକୁ ଆୟୋଜନ କରାଯାଉଛି । କର୍ଣ୍ଣାଟକ ଏବଂ ଆଖପାଖ ରାଜ୍ୟର ସମ୍ଭାବ୍ୟ ନିବେଶକମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଓଡ଼ିଶା ସରକାର ‘ଓଡ଼ିଶା ଶିଳ୍ପ ନୀତି ସଂକଳ୍ପ ୨୦୨୨’ ଏବଂ ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପ ନୀତି ୨୦୨୨ ପ୍ରଣୟନ କରିଛନ୍ତି । ନିବେଶକଙ୍କୁ ବ୍ୟାପକ ପ୍ରୋତ୍ସାହନ ଓ ସର୍ବୋତ୍ତମ ସୁବିଧା ପ୍ରଦାନର ବ୍ୟବସ୍ଥା ଏହି ନୀତିରେ ରହିଛି । ଗସ୍ତ କରୁଥିବା ଏହି ପ୍ରତିନିଧି ଦଳ ରାଜ୍ୟରେ ଥିବା ବିଭିନ୍ନ ତଥା ଆଗାମୀ ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଇବେ । ଏହା ସହ ଓଡ଼ିଶାକୁ ଟେକ୍ସଟାଇଲ ଓ ଆପାରେଲ ହବରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରିବେ ।
‘ରୋଡ୍ ଶୋ’ ଅବସରରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ପ୍ରତିନିଧି ଦଳ ସମ୍ଭାବ୍ୟ ନିବେଶକଙ୍କ ସହ ଅନେକ ଜି୨ବି ବୈଠକ ଆୟୋଜନ କରିବେ । ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥିବା ନିବେଶକଙ୍କ ଆବଶ୍ୟକତାକୁ ବୁଝିବେ । ରାଜ୍ୟ ନିବେଶକଙ୍କୁ ସର୍ବୋତ୍ତମ ସମ୍ଭବ ସହାୟତା ଓ ସୁବିଧା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେବେ । ତାହାକୁ ସୁନିଶ୍ଚିତ କରିବା ଏହି ବୈଠକର ଉଦ୍ଦେଶ୍ୟ । ତେବେ ଦେଖିବାର କଥା ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ରାଜ୍ୟ କେତେ ଲାଭାନ୍ବିତ ହେଉଛି । କେତେ ନିଯୁକ୍ତି ମିଳୁଛି ।
ଇଟିଭି ଭାରତ, ଭୁବନେଶ୍ବର