ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାରେ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ପ୍ରଥମେ ଶିକ୍ଷାନୁଷ୍ଠାନ ଆଉ ଏବେ ସ୍ୱାସ୍ଥ୍ୟ ଅନୁଷ୍ଠାନର ରୂପାନ୍ତରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏହି କ୍ରମରେ 'ଆମ ହସ୍ପିଟାଲ' କାର୍ଯ୍ୟକ୍ରମରେ ରୂପାନ୍ତରଣ ହେବ ରାଜ୍ୟର ୧୪୭ ହସ୍ପିଟାଲ । ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବାବେଳେ ନିର୍ଘଣ୍ଟ ସମୟରେ ରୂପାନ୍ତରଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରୂପାନ୍ତରଣ କାର୍ଯ୍ୟକୁ ତଦାରଖ କରୁଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ଶାଳିନୀ ପଣ୍ଡିତ ।
ରାଜ୍ୟରେ ଗୂଣାତ୍ମକ ସ୍ୱାସ୍ଥ୍ୟ ସେବାର ସଂପ୍ରସାରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ୩୦ ଟି ଜିଲ୍ଲାର ୧୪୭ ଟି ହସ୍ପିଟାଲକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ବରଗଡରେ ୫, ଝାରସୁଗୁଡାରେ ୨, ସୁନ୍ଦରଗଡରେ ୭, ସମ୍ବଲପୁରରେ ୪, ଦେଓଗଡ଼ ଗୋଟେ, କେନ୍ଦୁଝରରେ ୬, ମୟୁରଭଞ୍ଜରେ ୯, ବାଲେଶ୍ଵରରେ ୮, ଭଦ୍ରକରେ ୫, ଯାଜପୁରରେ ୭, ଢେଙ୍କାନାଳରେ ୪, ଅନୁଗୁଳରେ ୫, ସୋନପୁରରେ ୨, ବଲାଙ୍ଗୀରରେ ୫, ନୂଆପଡାରେ ୨, ନବରଙ୍ଗପୁର ୪, କଳାହାଣ୍ଡିରେ ୫, ବୌଦ୍ଧରେ ୨, କଟକରେ ୯, କେନ୍ଦ୍ରାପଡାରେ 5, ଜଗତସିଂହପୁରରେ ୪, ପୁରୀରେ ୬, ଖୋର୍ଦ୍ଧାରେ ୮, ନୟାଗଡ଼ରେ ୪, ଗଞ୍ଜାମରେ ୧୩, ଗଜପତିରେ ୨, ରାୟଗଡାରେ ୩, କୋରାପୁଟରେ ୫ ଓ ମାଲକାନଗିରିରେ ୨ ଟି ଚିହ୍ନଟ ହୋଇଛି ।
ହସ୍ପିଟାଲ ଗୁଡ଼ିକୁ ୫-ଟି ଢାଞ୍ଚାରେ ରୂପାନ୍ତରିତ କରାଯିବ । ଅଧିକ ସଂଖ୍ୟକ ରୋଗୀ ଆସୁଥିବା ହସ୍ପିଟାଲଗୁଡ଼ିକୁ ମୁଖ୍ୟତଃ ଏଥିରେ ସାମିଲ କରାଯାଇଛି । ଇତି ମଧ୍ୟରେ, ଜିଲ୍ଲାୱାରୀ ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରାଯାଇ ରୂପାନ୍ତରଣ ନିମନ୍ତେ ବିଧିବଦ୍ଧ ସରକାରୀ ବିଜ୍ଞାପ୍ତି ପ୍ରକାଶ ପାଇଛି । ଆବଶ୍ୟକ ପଡୁଥିବା ନିର୍ମାଣ କାର୍ଯ୍ୟ ଏବଂ ଯନ୍ତ୍ରପାତି କ୍ରୟ ନିମନ୍ତେ ପ୍ରଶାସନିକ ଅନୁମୋଦନ କାର୍ଯ୍ୟ ତ୍ଵରାନ୍ୱିତ କରିବାପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ହସ୍ତାନ୍ତର କରାଯାଇଛି । ଏଥିପାଇଁ ଆବଶ୍ୟକୀୟ ଅର୍ଥ ରାଜ୍ୟ ବଜେଟ ଏବଂ ଡ଼ିଏମଏଫ, ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ହସ୍ପିଟାଲ ରୂପାନ୍ତରଣ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି କରାଯାଇଛି । ଏଷ୍ଟିମେଟ ପ୍ରସ୍ତୁତି, ଅନୁମୋଦନ, ଏବଂ କାର୍ଯ୍ୟାୟନ ସଂସ୍ଥା ଚୟନ ଆଦି ନିମନ୍ତେ ମଧ୍ୟ ଜିଲ୍ଲାସ୍ତରୀୟ କମିଟିକୁ କ୍ଷମତା ପ୍ରଦାନ କରାଯାଇଛି ।
ଜିଲ୍ଲା ପୋଲିସ ଅଧିକ୍ଷକ, ସଂପୃକ୍ତ ସହରାଞ୍ଚଳ କମିଶନର ବା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଜନ ସ୍ୱାସ୍ଥ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପାନୀୟଜଳ ଯୋଗାଣ ଯନ୍ତ୍ରୀ ସଂପୃକ୍ତ ବି.ଡ଼ି.ଓ., ମେଡ଼ିକାଲ୍ ଅଫିସର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ଆଦି ଅଧିକାରୀଙ୍କୁ ଏହି କମିଟିର ସଦସ୍ୟଭାବେ ସାମିଲ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲାସ୍ତରୀୟ କମିଟିର ଆବାହକ ଦାୟିତ୍ଵ ସଂପାଦନ କରିବେ । ଏହି ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାମ ଚଳିତ ବର୍ଷ ଅକ୍ଟୋବର ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର