ଭୁବନେଶ୍ବର: ଆଦିବାସୀ ଉପଦେଷ୍ଟା ପରିଷଦ ଦ୍ବାରା ଅନୁମୋଦନ ପ୍ରସ୍ତାବକୁ ଆଧାର କରି ଓଡିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ, ୧୯୫୬କୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ । ଉପରୋକ୍ତ ସଂଶୋଧନର ପୁନର୍ବିଚାର କରି କ୍ୟାବିନେଟ ଏବିଷୟରେ ଅଧିକ ତର୍ଜମା କରିବା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି, କଂଗ୍ରେସ ଓ ବିଜେଡି ।
ଆଦିବାସୀ ଜମି ଅଣ ଆଦିବାସୀ କିଣିବା ନେଇ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇବାର କ୍ୟାବିନେଟ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି ଯେ, କିଛି ଆବଶ୍ୟକତା ନଥିଲା ଅଧିକ ତର୍ଜମା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇବା । କ୍ୟାବିନେଟ ଚାହିଁଥିଲେ ସେହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପାରିଥାନ୍ତେ । ସେଇଟା ହୋଇଥିଲେ ଭଲ ହୋଇଥାନ୍ତା । ବିଶେଷ କିଛି ନିଷ୍ପତ୍ତି କ୍ୟାବିନେଟ ନେଇନାହିଁ । ଯେହେତୁ ଆଜି ସେହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆସିଥିଲା । ସରକାର ହରଡଘଣାରେ ପଡିସାରିଛି । ଆଦିବାସୀଙ୍କ ଜମି ହସ୍ତାନ୍ତର କରିବା ଦ୍ବାରା ଯେଉଁ ନିଷ୍ପତ୍ତି ହୋଇଥିଲା ଆଦିବାସୀ ସର୍ବସ୍ବାନ୍ତ ହୋଇଯିବେ । ତରବରିଆ ଭାବେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇ କେବଳ ସ୍ଥିତିକୁ ଗୋଳ ମାଳିଆ କରିବାକୁ ଉଦ୍ୟମ କରାଯାଇଛି । ଏହା କୌଣସି ପ୍ରଭାବ ପଡିବ ନାହିଁ ।
ଅଧିକ ପଢନ୍ତୁ- ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ, ଗୃହ କାଲିଯାଏଁ ମୁଲତବି
ସେହିପରି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଯେ, ଆମେ ଯେତେବେଳେ ଆଦିବାସୀଙ୍କ ଜମି ବିକ୍ରି ନେଇ ମୁଲତବୀ ପ୍ରସ୍ତାବ ଆଣିଲୁ ସେତେବେଳେ ଆଜି ସକାଳେ କ୍ୟାବିନେଟ ବୈଠକ ଡାକିଥିଲେ । ଅର୍ଥାତ ରାଜ୍ୟ ସରକାର ଯେଉଁ ଛେପ ପକାଇଥିଲେ, ତାହାକୁ ଆଜି ଚାଟିକି ଢ଼ୋକିକି ନେଲେ । ଜମି ବିକ୍ରି ନେଇ ଯାହା ନିଷ୍ପତ୍ତି ନେଇଥିଲେ ତାହା ପ୍ରତ୍ୟାହୃତ ହୋଇନାହିଁ । ପୁନର୍ବାର ଏହାକୁ ପୁନର୍ବିଚାର କରିବା ପାଇଁ ଟିଏସିକୁ ପଠାଇ ଦେଲେ । କେନ୍ଦ୍ର ସରକାର ଆଦିବାସୀଙ୍କ ବିକାଶ ଲାଗି 19 ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟର 10 ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲାକୁ ସ୍ଵତନ୍ତ୍ର ଭାବେ ବିକଶିତ କରିବାକୁ ବ୍ୟବସ୍ଥା କରାଯାଇଛି । ଆଦିବାସୀ ବିରୋଧୀ ହେଉଛନ୍ତି ନବୀନ ସରକାର ।
ଅଧିକ ପଢନ୍ତୁ- ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗ, ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି
ଉଭୟ ଦଳର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି ଯେ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଜବାବ ରଖିବା ପରେ ଏହି ପ୍ରସଙ୍ଗ ଆଉ ଉଠିବା କଥା ନୁହେଁ । ସମସ୍ତ ବର୍ଗର ବିକାଶ କରିବା ଲାଗି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରତିବଦ୍ଧ । ବିଶେଷ କରି ଆଦିବାସୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । 23 ଜିଲ୍ଲାରେ ଉନ୍ନୟନ ପରିଷଦ ଗଠନ କରାଯାଇଛି । ପର୍ଯ୍ୟାପ୍ତ ପରିମାଣର ପଇସା ଦିଆଯାଇଛି । ଆଦିବାସୀ ପିଲା ପଢିବା ପାଇଁ ବ୍ୟବସ୍ଥା କରାଯାଇଛି । ବିରୋଧୀ ଦଳ କୌଣସି କଥା ନବୁଝି ଶସ୍ତା ରାଜନୀତି କରୁଛନ୍ତି । ବିରୋଧୀ ଦଳ ମୁଲତବୀ ପ୍ରସ୍ତାବ ଆଣିବାର କୌଣସି ଯଥାର୍ଥତା ନାହିଁ । ଟିଏସିରେ ପ୍ରତ୍ୟେକ ଦଳର ସଦସ୍ୟ ଅଛନ୍ତି । ସେଠାରେ ବୃହତ୍ତର ଆଲୋଚନା ଲାଗି ସୁଯୋଗ ରହିଛି । ଯାହା ଓଡିଶା ବାସୀଙ୍କ ଲାଗି ଭଲ ହେବ ତାହା ସରକାର କରନ୍ତି ।
ଇଟିଭି ଭାରତ, ଭୁବନେଶ୍ବର