ଭୁବନେଶ୍ବର: ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ଗଣଶିକ୍ଷା ବିଭାଗ । ୫ ବର୍ଷରୁ ୭ ବର୍ଷ ବୟସର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ । ପ୍ରତି କ୍ୟାଲେଣ୍ଡର ବର୍ଷର ମାର୍ଚ୍ଚ ୩୧ ସୁଦ୍ଧା ପିଲାର ବୟସ ୫ ବର୍ଷରୁ ୭ ବର୍ଷ ହୋଇଥିବ । EWS ବର୍ଗରେ ଅଭିଭାବକଙ୍କ ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଭିତରେ ରହିବ । ଏନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛି ।
ସୂଚନା ଅନୁଯାୟୀ, ସାଧାରଣ ଭାବରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସ ୬ ବର୍ଷ ରୁ ୭ବର୍ଷ ହୋଇଥାଏ । ପିଲାମାନେ ବିଦ୍ୟାଳୟରେ ନାମଲେଖାଇ ପାଠ ପଢିଥାନ୍ତି । ହେଲେ ଏହି ବୟସର ସଠିକତାକୁ ନେଇ ବର୍ତ୍ତମାନ ଅଡୁଆରେ ପଡିଛନ୍ତି ଅଭିଭାବକ । ତେଣୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ସମସ୍ତ ଦ୍ଵନ୍ଦକୁ ଦୂର କରିଛି । ଏନେଇ ପ୍ରଥମିକ ଶିକ୍ଷା ନିର୍ଦ୍ଦେଶାଳୟ କହିଛି ଯେ, ୫ ବର୍ଷରୁ ୭ ବର୍ଷ ବୟସର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ । ପ୍ରତି କ୍ୟାଲେଣ୍ଡର ବର୍ଷର ମାର୍ଚ୍ଚ ୩୧ ସୁଦ୍ଧା ପିଲାମାନଙ୍କ ବୟସ ୫ରୁ ୭ ବର୍ଷ ହୋଇଥିବ । କିନ୍ତୁ ଏପଟେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବିଦ୍ୟାଳୟକୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସସୀମା ୬ ବର୍ଷ ଧାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ଦ୍ବନ୍ଦ ଉପୁଜିଛି ।
ଅଭିଭାବକମାନେ ପିଲାମାନଙ୍କୁ ୩ ବର୍ଷରୁ ନର୍ସରି, ଏଲକେଜି ଓ ୟୁକେଜିରେ ପାଠପଢା ଆରମ୍ଭ କରି ୬ ବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ସିବିଏସଇ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଅଧୀନ ସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟରେ ନାମଲେଖା ବୟସକୁ ନେଇ ଦ୍ୱନ୍ଦ ସୃଷ୍ଟି ହେବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଆଇସିଏଫସିଇ ଆଇନର ଧାରା ୨୦୦୯ ଧାରା ୧୨.୧ ସି ଅନୁଯାୟୀ, ୩ ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପ୍ରି-ସ୍କୁଲରେ ନାମ ଲେଖାଯିବ । ପ୍ରଥମ ଶ୍ରେଣୀ ପାଇଁ ବୟସ ସୀମା ୫ ବର୍ଷ ରୁ ୭ ବର୍ଷ ବାଧ୍ୟତାମୂଳକ କରାଯାଇଛି । ଏପଟେ ପ୍ରଥମ ଶ୍ରେଣୀ ନାମଲେଖାକୁ ନେଇ ଦ୍ବନ୍ଦରେ ରହିଛନ୍ତି ଅଭିଭାବକ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଦ୍ଵନ୍ଦ ମଧ୍ୟରେ ରହିଯାଉଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର