ଭୁବନେଶ୍ବର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୭୨ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ବର୍ତ୍ତମାନ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳରେ ୩.୧ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢିବା ସହ ୧୩ରୁ ୧୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୭୨ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପଟେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ଗଜପତି ଓ କଳାହାଣ୍ଡି । ଆସନ୍ତାକାଲିଠୁ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି ।
ଏହା ବି ପଢନ୍ତୁ- Weather Update: ଆଜି ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା, କାଲିଠୁ ପ୍ରବଳ ବର୍ଷିବ
ସେପଟେ ମୌସୁମୀ ସ୍ଥିତି ୧ ଜୁନ ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୮୯୧.୮ ମିମି ବର୍ଷା ହୋଇଥିବା ବେଳେ ସ୍ଵାଭାବିକ ବର୍ଷା ୧୦୧୮.୪ ମିମି ବର୍ଷା ହୋଇଛି । ଏହାରି ମଧ୍ୟରେ ୧୦ ଜିଲ୍ଳାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ବିଜୁଳି ଘଡଘଡି ଜନିତ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧା ବେଗୁନିଆ ରେ ୪୬.୦୦ ମିମି ବର୍ଷା ରେକର୍ଡ ହୋଇଛି ।
ଏ ନେଇ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି, "ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ବର୍ଷାର ପରିମାଣ ବୃଦ୍ଧି ପାଇବ । ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ଦକ୍ଷିଣାଞ୍ଚଳ ଜିଲ୍ଲା ମାଲକାନଗିରି, କୋରାପୁଟ ସହିତ ନବରଙ୍ଗପୁର ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । କଟକ, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ନୟାଗଡ଼, ଢେଙ୍କାନାଳ, କଳାହାଣ୍ଡିରେ ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବ ।"
ଇଟିଭି ଭାରତ, ଭୁବନେଶ୍ବର