ଭୁବନେଶ୍ବର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଶିକ୍ଷା ବଜେଟରେ ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପାଇଁ ୩୦ ହଜାର ୩୦ କୋଟି ବ୍ୟୟ ବରାଦ ହୋଇଛି । ଏନେଇ ଓଷ୍ଟା ର ସଭାପତି ପ୍ରକାଶ ମହାନ୍ତି କହିଛନ୍ତି ,‘‘ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ ରେ ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ ୨୨ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି। ବିଭିନ୍ନ ଦୃଷ୍ଟି କୋଣରୁ ବିଦ୍ୟାଳୟ ର ପରିବର୍ତ୍ତନ ଓ ଶିକ୍ଷକ ନିଯୁକ୍ତି ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଯାହା କୁ ନେଇ ଓଷ୍ଟା ପକ୍ଷରୁ ସ୍ଵାଗତ କରିବା ସହ ଧନ୍ୟବାଦ ଦେଇଛି ସଂଘ। ରାଜ୍ୟ ସରକାର ଯେତିକି ସରକାରୀ ବିଭାଗକୁ ଗୁରୁତ୍ଵ ପ୍ରଦାନ କରିଛନ୍ତି ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଗୁରୁତ୍ଵ ଦେଇନାହାନ୍ତି ।’’
ରାଜ୍ୟରେ ପ୍ରାୟ ୩୨ ଶହ ରୁ ଅଧିକ ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟ ଗୁଡ଼ିକରେ ଯେଉଁମାନେ କାମ କରୁଛନ୍ତି ଏପର୍ଯ୍ୟନ୍ତ ଶିକ୍ଷକମାନେ ପେନସନ ପାଉଛନ୍ତି ନା ଚାକିରିର ସର୍ତ୍ତାବଳୀ ରହିଛି । ଏଠାରେ ପଢୁଥିବା ପିଲାମାନେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ଠାରୁ ପୃଥକ ଭାବରେ ବିବେଚିତ ହେଉଛନ୍ତି। ଯଦି ସରକାରୀ ସ୍କୁଲର ପିଲାମାନେ ଡ୍ରେସ୍ ବର୍ଷ ଆରମ୍ଭ ରୁ ପାଉଛନ୍ତି ତେବେ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପିଲାମାନେ ଏହି ଡ୍ରେସ ପାଇବା ବେଳକୁ ବର୍ଷ ଶେଷ ହେଉଛି। ତେବେ ଏହାର ପରିବର୍ତ୍ତନ ଜରୁରୀ ଅଟେ ବୋଲି କହିଛନ୍ତି ଓଷ୍ଟାର ସଭାପତି ପ୍ରକାଶ ମହାନ୍ତି।
ଏପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ,‘‘ ରାଜ୍ୟ ସରକାର ଯେଉଁ ବଜେଟ ଦେଇଛନ୍ତି ତାହା ଭଲ ବଜେଟ। ସାଇକେଲ ଖାତା ଡ୍ରେସ ବାଣ୍ଟିବା ଆଦି ଭଲ ସୁବିଧା କରାଯାଇଛି।’’ ଏପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ,‘‘ କେନ୍ଦ୍ରର କମ୍ ସମ୍ବଳ ସତ୍ତ୍ୱେ ଓଡ଼ିଶାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ଘୋଷଣା ହୋଇଛି।’’ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବ୍ଲକ ସ୍ତର ରୁ ୨୦୨୩-୨୪ ଲୋକାଭିମୁଖୀ ବଜେଟ୍ ନେଇ କାର୍ଯ୍ୟକ୍ରମ କରିବାକୁ। ବୁଦ୍ଧିଜୀବୀ ସମ୍ମିଳନୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏପଟେ କିଛି ଅଧ୍ୟାପକ ଦାବି ପୂରଣ ପାଇଁ ବାରମ୍ବାର ଧାରଣା ଭଳି ରାଜରାସ୍ତାରେ ଶିକ୍ଷ ମାନେ ଆସୁଛନ୍ତି। ଅଧ୍ୟାପକଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ। ସୂଚନା ଅନୁଯାୟୀ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି।
ଶିକ୍ଷା ବିଭାଗର ବଜେଟରେ ୩୦ ହଜାର ୩୦ କୋଟି ବ୍ୟୟ ବରାଦ ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ପାଇଁ ୩ ହଜାର ୧୭୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଭିତ୍ତିଭୂମି ବିକାଶ ପାଇଁ ୧୬୩ କୋଟି ଟଙ୍କା, ମୋ କଲେଜ ଅଭିଯାନ ପାଇଁ ୧୭୦ କୋଟି ଏବଂ ବିଜୁ ସଶକ୍ତୀକରଣ ଯୋଜନାରେ ଲାପଟପ୍ ବଣ୍ଟନ ପାଇଁ ୫୦ କୋଟି ଟଙ୍କା ଅନ୍ତର୍ଭକ୍ତ ହୋଇଛି । ଏଥର ବଜେଟରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥା ଆରମ୍ଭ କରିଛନ୍ତି ।
୩୪ ହଜାର ୫୦୦ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର ଦିଆଯିବ । ୧୧୮ ଜଣ ନେତୃତ୍ବ ପୁରସ୍କାର, ୨୦୦୦ ମୋଧାବୀଙ୍କୁ ବୃତ୍ତି ଦିଆଯିବ । ମାଧ୍ୟମିକ ସ୍କୁଲରେ ୭୦୦ ଶିକ୍ଷକ, ୪୧୯ ପ୍ରଧାନ ଶିକ୍ଷକ ପୁରସ୍କୃତ ହେବେ । ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟି ବ୍ୟୟ ବରାଦ ହୋଇଛି । ମାଧ୍ୟମିକ ସ୍କୁଲରେ ୭ହଜାର ୫୪୦ ଶିକ୍ଷକ ନିଯୁକ୍ତ ହେବେ । ୧୦୬ ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ । ୬ ହଜାର ୨୫ ଟି ଏଲଟିଆର ପଦବୀ ସୃଷ୍ଟି କରାଯିବ । ୧୭୯୯ କନିଷ୍ଠ ସହାୟକ ଓ ୩୩୫ ପିଜିଟି ନିଯୁକ୍ତି ପାଇବେ । ପୁରୀର ସତ୍ୟବାଦୀ ଠାରେ ଡିସେମ୍ବର ସୁ୍ଦ୍ଧା ନିର୍ମାଣ ହେବାକୁ ଥିବା ଓଡିଆ ବିଶ୍ବ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯ ଶହ ୮୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପୂର୍ବ ବର୍ଷ ତୁଳନାରେ 22 ପ୍ରତିଶତ ଅଧିକ ରହିଛି।
ଇଟିଭି ଭାରତ, ଭୁବନେଶ୍ବର