ଭୁବନେଶ୍ବର: ବିଦେଶରୁ ଓଡ଼ିଶାକୁ ଆସିବାକୁ ଯାଉଛି ବଡ଼ ପୁଞ୍ଜିନିବେଶ । ଆମେରିକା ସିଲିକନ ଭ୍ୟାଲି ଗସ୍ତରେ ଥିବା ଓଡିଶା ପ୍ରତିନିଧି ଦଳ ପୁଞ୍ଜିନିବେଶଙ୍କୁ ଆକୃଷ୍ଟ କରିବା ଲାଗି ପ୍ରୟାସ କରିଛନ୍ତି । ବହୁରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଇଲେକ୍ଟ୍ରୋନିକ୍ସ, ସାଇବର ସୁରକ୍ଷା ସଂପର୍କିତ କମ୍ପାନୀର ନେତୃତ୍ବଙ୍କ ସହିତ ଆଲୋଚନା ହୋଇଛି । ସାନମିନା କର୍ପୋରେସନ ଓଡ଼ିଶାରେ ତା’ର କାର୍ଯ୍ୟାଳୟ ଖୋଲିବା ପାଇଁ ଆଗ୍ରହୀ ଥିବା କମ୍ପାନୀ ପକ୍ଷରୁ କହୁଯାଇଛି । ସାଇବର ସୁରକ୍ଷା ଓ ପ୍ରିଣ୍ଟେଡ ସର୍କିଟ ବୋର୍ଡ କ୍ଷେତ୍ରରେ ଦୁଇ ବୃହତ କମ୍ପାନୀ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ଥିବା ସୂଚନା ମିଳିଛି । ଆମେରିକା ସିଲିକନ ଭ୍ୟାଲି ଗସ୍ତରେ ଅଛନ୍ତି ଆଇଟି ମନ୍ତ୍ରୀ, ରାଜ୍ୟସଭା ସାଂସଦ, ଉନ୍ନୟନ କମିଶନର, 5T ସଚିବ, କ୍ରୀଡା ସଚିବ, ଆଇଟି ସଚିବ ଓ ବରିଷ୍ଠ ଅଧିକାରୀ ।
ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ଇଲୋକ୍ଟ୍ରୋନିକ୍ସ ଶିଳ୍ପର ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେରିକା ଯାଇଥିବା ଏହି ଟିମ ସାନମିନା କର୍ପୋରେସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସଂସ୍ଥାର ସହ ସଂସ୍ଥାପକ ଜୁରୀ ସୋଲା, ବରିଷ୍ଠ ଉପାଧ୍ୟକ୍ଷ ସୁନ୍ଦର ଏମ କାମଥ, ବରିଷ୍ଠ ଉପ ସଭାପତି ବିଲି ପାପ୍ପନୀଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟରେ ଶିଳ୍ପ ପାଇଁ ଥିବା ଅନୁକୂଳ ବାତାବରଣ, ବଳିଷ୍ଠ ଶିଳ୍ପ ନୀତି ଓ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନକୁ ଯୋଗାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ସାନମିନା କର୍ପୋରେସନର ଅଧିକାରୀଙ୍କୁ ରାଜ୍ୟ ପ୍ରତିନିଧି ଅବଗତ କରାଇଛନ୍ତି । କମ୍ପାନୀ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ଟିମକୁ ସେମାନଙ୍କ ପ୍ରଡକ୍ଟ ସମ୍ପର୍କରେ ଅବଗତ କରିବା ସହ କମ୍ପାନୀ ବୁଲାଇ ଦେଖାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ: ଗବେଷକଙ୍କୁ ମିଳିବ ହାଇଟେକ ତାଲିମ
ସାନମିନା କର୍ପୋରେସନ ଓଡ଼ିଶାରେ କାର୍ଯ୍ୟାଳୟ ଖୋଲିବା ପାଇଁ ଆଗ୍ରହୀ ଥିବା କୁହାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପାନୁଷ୍ଠାନକୁ ଦିଆଯାଉଥିବା ପ୍ରୋତ୍ସାହନରେ ଉତ୍ସାହିତ ହୋଇ ସାନମିନା କର୍ପୋରେସନ ରାଜ୍ୟରେ ସାଇବର ସୁରକ୍ଷାରେ ପୁଞ୍ଜିନିବେଶ କରିବା ପାଇଁ ଏକ ପ୍ରସ୍ତାବ ଖୁବଶୀଘ୍ର ଓଡିଶା ସରକାରଙ୍କୁ ଦେବେ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର ମଧ୍ୟ ଏ ଦିଗରେ ସବୁ ପ୍ରକାର ପ୍ରୋତ୍ସାହନ ଦେବେ ବୋଲି ଆଶ୍ବାସନା ଦିଆଯାଇଛି । ପରେ ଏହି ପ୍ରତିନିଧି ଦଳ ପାଲୋ ଅଲ୍ଟୋ ନେଟୱାର୍କ କାର୍ଯ୍ୟାଳୟକୁ ଗସ୍ତ କରିଛନ୍ତି । ସଂସ୍ଥାର ଜେନେରାଲ ମ୍ୟାନେଜର ଆନନ୍ଦ ଅଶ୍ବବାଲ ଓ ତାଙ୍କ ଟିମ ସହିତ ରାଜ୍ୟ ପ୍ରତିନିଧି ଆଲୋଚନା କରିଛନ୍ତି ।
ଓଡ଼ିଶାରେ ସାଇବର ସିକ୍ୟୁରିଟିର ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା ଦିଗରେ କମ୍ପାନୀ ସହ ଆଲୋଚନା ହୋଇଛି । ପାଲୋ ଅଲ୍ଟୋ ନେଟୱାର୍କ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ନିଜର ଉପସ୍ଥିତ ଜାହିର କରିସାରିଛି । ରାଜ୍ୟର ସାଇବାର ସୁରକ୍ଷା ନୀତି ଓ ପଦକ୍ଷେପ ବାବଦରେ ଟିମ ଅବଗତ କରାଇଛି । ରାଜ୍ୟର ସାଇବର ସିକ୍ୟୁରିଟି ନେଇ ପାଲୋ ଅଲ୍ଟୋ ସହଯୋଗ କରିବ ବୋଲି ସୂଚନା ମଧ୍ୟ ମିଳିଛି । ରାଜ୍ୟରେ ଏକ ଜୀବନ୍ତ ଓସେନରିୟମ ଓ ମ୍ୟୁଜିଏମ ପ୍ରତିଷ୍ଠା ନେଇ ବେ-ଇକୋଟାରିୟମର ସିଇଓ ଜର୍ଜ ଜାକୋବଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ଏହି ପ୍ରତିନିଧି ଦଳ । ବେ-ଇକୋଟାରିୟମ ମଧ୍ୟରେ ଓଡିଶାର ପୁଞ୍ଜିନିବେଶ ପାଇଁ ସହମତି ପ୍ରକାଶ କରିଛି ।
ସେହିଭଳି ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ରାମମ୍ବସ ଟେକ୍ନୋଲୋଜିର ପ୍ରତିଷ୍ଠାତା ପ୍ରଫେସର ମାର୍କ ହରୋଜାଇଟଙ୍କ ସହ ଓଡିଶା ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ୟୁଏସଏରେ ରାଜ୍ୟର ଏହି ପ୍ରତିନିଧି ଦଳର ଗସ୍ତ ଓ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ସହ ଆଲୋଚନା ଆଗାମୀ ଦିନରେ ଓଡିଶାକୁ ସେମିକଣ୍ଡକ୍ଟର ହବ ଭାବେ ଗଢି ତୋଳିବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର