ଭୁବନେଶ୍ବର: ଜାନୁଆରୀ ୨୬ରୁ ଆରମ୍ଭ ହେବ 'ହାତରେ ହାତ ଯୋଡ଼ ଅଭିଯାନ' । କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ଆସନ୍ତା ସାଧାରଣତନ୍ତ୍ର ଦିବସରୁ ଏହି ଅଭିଯାନ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ଏହି ଯାତ୍ରା ଦୀର୍ଘ ଦୁଇ ମାସ ଧରି ଚାଲିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ବର୍ତ୍ତମାନ ଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଜାରି ରହିଥିବା ଭାରତ ଯୋଡ଼ ଯାତ୍ରା ଆସନ୍ତା ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସରେ ଶେଷ ହେବାକୁ ଯାଉଛି । ସାରା ଦେଶରେ ଏହି ଯାତ୍ରାକୁ ବିପୁଳ ସମର୍ଥନ ମିଳୁଥିବା କଂଗ୍ରେସ କର୍ମୀ ଓ ନେତାମାନେ ଦାବି କରୁଥିବାବେଳେ ଏହାପରେ ମଧ୍ୟ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ କଂଗ୍ରେସର ହାଥ୍ ସେ ହାଥ୍ ଯୋଡ଼ ଅଭିଯାନ ଆରମ୍ଭ ହେବ । ସାଧାରଣତନ୍ତ୍ର ଦିବସରୁ ଏହି ଅଭିଯାନ ତୃଣମୂଳସ୍ତରରୁ ଦଳକୁ ସୁଦୃଢ଼ କରିବା ପାଇଁ ଗାଁକୁ ଗାଁ ବୁଲି ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବ ।
ଏନେଇ ଆଜି କଂଗ୍ରେସ ଭବନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତୁତି ହୋଇଛି । ବୈଠକରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ ବହୁ ବରିଷ୍ଠ ନେତା ଏବଂ ଜିଲ୍ଲା କଂଗ୍ରେସ ସଭାପତି ଉପସ୍ଥିତ ଥିଲେ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ହାତରେ ହାତ ଯୋଡ଼ ଅଭିଯାନରେ କଂଗ୍ରେସ ନେତା ଓ କର୍ମୀମାନେ ଦୀର୍ଘ ଦୁଇ ମାସ ପର୍ଯ୍ୟନ୍ତ ବୁଲିବେ । ଏହି ଯାତ୍ରାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଘର ଘର ବୁଲି ଲୋକଙ୍କୁ ଅବଗତ କରାଇବ କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯିବ ।"
ଇଟିଭି ଭାରତ, ଭୁବନେଶ୍ବର