ଭୁବନେଶ୍ବର: ଏକାମ୍ର ପ୍ରକଳ୍ପର ତ୍ରିଦିନାତ୍ମକ ଭୂମିପୂଜନ ଉତ୍ସବ ଶେଷ ହୋଇଛି । ଗତକାଲି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତଥା ମହାପ୍ରଭୁଙ୍କ ବାହୁଡ଼ା ତିଥିରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ଅବସରରେ 101 ସେବାୟତ ଓ ଏକାମ୍ର ପ୍ରକଳ୍ପ ନିମନ୍ତେ ଜମି ପ୍ରଦାନ କରିଥିବା ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।
ତେବେ ଏନେଇ ସମ୍ମାନିତ ବେଳେ ମିଳିଥିବା ଲିଙ୍ଗରାଜ ଚିତ୍ର ଥିବା ରୁପା ମୁଦ୍ରା ଓ ସିନ୍ଧୁକ ଘରେ ଶୋଭା ପାଇବ ବୋଲି କହିଛନ୍ତି ମହାସୁଆର ସେବାୟତ ପରିବାରର ମହିଳା ହରପ୍ରିୟା ସାମନ୍ତ । ସେ କହିଛନ୍ତି ଯେ, ଏକାମ୍ର ପ୍ରକଳ୍ପ ପାଇଁ ଭୂମି ଦାନ କରିଥିବାରୁ ଆମକୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ ସମ୍ମାନିତ କରିଛନ୍ତି । ଏଥିସହ ଜମିଦାନ ପାଇଁ ଆମକୁ କ୍ଷତି ପୂରଣ ମଧ୍ୟ ମିଳିଛି । ସେହିପରି ଭୂମି ଦାନ ପାଇଁ ପ୍ରକଳ୍ପର ଫଟୋ ସହ ଏକ ସ୍ବତନ୍ତ୍ର ବାକ୍ସ ଦିଆଯାଇଛି । ଯେଉଁଥିରେ ରହିଛି ଲିଙ୍ଗରାଜଙ୍କ ବେଲ ପତ୍ର, ରଥ ଦଉଡ଼ି, ତ୍ରିଶୁଳ ଡମ୍ବୁର , ରଥକାଠ, ସହ ଲିଙ୍ଗରାଜଙ୍କ ଚିତ୍ର ଥିବା ରୁପା ମୁଦ୍ରା । ଯାହା ଘରେ ଶୋଭା ପାଇବ । ଯାହାକୁ ଦେଖି ପରପିଢି ଜାଣିବେ ଯେ ତାଙ୍କର ପରିବାରର ଏଭଳି ଏକ ସୁନ୍ଦର ପ୍ରକଳ୍ପ ପାଇଁ ଅବଦାନ ରହିଛି ।
ପ୍ରକାଶ ଥାଉକି, ଗତକାଲି ପଣ୍ଡିତଗଣଙ୍କ ସହଯୋଗରେ ଶିଳା ଶୋଧନ, ଶିଳା ପ୍ରତିଷ୍ଠା, ଗର୍ଭ ସଂସ୍କାର କର୍ମ କରାଯିବା ପରେ ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପରେ ଉପସ୍ଥିତ ଅତିଥି, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଯଜ୍ଞ ମଣ୍ଡପ ସମ୍ମୁଖରେ କିଛି ସମୟ କଟାଇବା ପରେ ଯଜ୍ଞର ପୂର୍ଣ୍ଣାହୁତିରେ ସାମିଲ ହୋଇଥିଲେ । ଏହି ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ମନ୍ତ୍ରଧ୍ବନିରେ ପ୍ରକମ୍ପିତ ଏକାମ୍ର କ୍ଷେତ୍ର, ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ତେବେ ଏକାମ୍ର କ୍ଷେତ୍ରର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ତଥା ‘ଏକାମ୍ର ପ୍ରକଳ୍ପ’ ୨୦୧୯ରେ ଆରମ୍ଭ କରାଯାଇଥିଲା । ବିଭିନ୍ନ ସ୍ମାରକୀ, ପବିତ୍ର ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳାଶୟର ପୁନରୁଦ୍ଧାର ସମେତ ଶ୍ରୀଲିଙ୍ଗରାଜଙ୍କ ଚତୁଃପାର୍ଶ୍ବର ୮୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ତେବେ ଏହି ତିନି ଦିନିଆ ଉତ୍ସବରେ ପର୍ଯ୍ୟଟକ ଏବଂ ଭକ୍ତମାନେ ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାରେ ନିମଗ୍ନ ହୋଇଥିଲେ । ଧାର୍ମିକ ସମାରୋହ ବ୍ୟତୀତ ଉପସ୍ଥିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଆକର୍ଷଣୀୟ ଲାଇଟ୍ ଏବଂ ସାଉଣ୍ଡ ସୋ’, ଭଜନ ସମାରୋହ, ନୃତ୍ୟ ପ୍ରଦର୍ଶନ ସହ ପ୍ରକଳ୍ପର ମଡେଲ ଏବଂ ତଥ୍ୟ ସମ୍ବଳିତ ପ୍ରଦର୍ଶନୀ ଦେଖିବାର ସୁଯୋଗ ପାଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର