ଭୁବନେଶ୍ବର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଆଗତ ହୋଇଛି ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରୁଛନ୍ତି । ଚଳିତ ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ଏହି କ୍ରମରେ ୩୪,୫୦୦ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର ପ୍ରଦାନ କରାଯିବ । ୧୧୮ ଜଣଙ୍କୁ ନେତୃତ୍ବ ପୁରସ୍କାର ସମେତ ୨୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦିଆଯିବ । ମାଧ୍ୟମିକ ସ୍କୁଲର ୭୦୦ ଶିକ୍ଷକ ଏବଂ ୪୧୯ ପ୍ରଧାନ ଶିକ୍ଷକ ପୁରସ୍କୃତ ହେବେ । ଏଥିପାଇଁ ୧୩୯ କୋଟିର ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟିର ବ୍ୟୟବରାଦ ହୋଇଛି । ସେହିପରି କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି ବ୍ୟୟ ଅଟକଳ ହୋଇଛି ।
ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି କରାଯାଇଛି । ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟିର ବ୍ୟୟ ବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି, ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟି ଏବଂ ମହିଳା ସ୍ବୟଂସହାୟକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ବ୍ୟୟ ଅଟକଳ ହୋଇଛି । ଚଳିତ ବଜେଟରେ ବିଦେଶ ବିମାନ ଉଡ଼ାଣ ଯୋଜନା ପାଇଁ ୧୦୦ କୋଟି ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି ବ୍ୟୟ ବରାଦ ହୋଇଛି । ଏଥିସହ ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି, ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟି ଏବଂ ଧାନ କ୍ରୟ ପାଇଁ ୨୦୦୦ କୋଟି ବ୍ୟୟ ଅଟକଳ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: Odisha Budget 2023: ସ୍ବାସ୍ଥ୍ୟ ପାଇଁ ୧୬ହଜାର ୪୮କୋଟି ଟଙ୍କା ବ୍ୟୟ ବରାଦ, କମିବ ଆମ୍ବୁଲାନ୍ସ ପହଞ୍ଚିବା ସମୟ
ଲୋକେସନ ଆସେସିବଲ ମୋଲ୍ଟିମେଡାଲ ଇନିସିଏଟିଭ ପାଇଁ ୧୦୦ କୋଟି ଟଙ୍କା ଘୋଷଣା କରାଯାଇଛି । କଫି ମିଶନ ପାଇଁ ୧୨୬ କୋଟି ଟଙ୍କା ଏବଂ ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି ବ୍ୟୟ ଅଟକଳ କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି । ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ପାଇଁ ୫୦ କୋଟି ଓ ନୂଆ ଓଡ଼ିଶା ପାଇଁ ୧୦୦ କୋଟି ଟଙ୍କା ଘୋଷଣା କରାଯାଇଛି । ବିପର୍ଯ୍ୟୟ ପ୍ରତିବନ୍ଧକ ସାଲାଇନ ବନ୍ଧ ପାଇଁ ୧୫୦ କୋଟି ଓ ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ପ୍ରୋଗ୍ରାମ ପାଇଁ ୨୫୦ କୋଟି ବ୍ୟୟ ବରାଦ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର