ଭୁବନେଶ୍ବର: ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପ୍ରଥମେ କୃଷି ବଜେଟ ଉପସ୍ଥାପନା ପରେ ଅନ୍ୟ ବିଭାଗ ପାଇଁ ବଜେଟ ଉପସ୍ଥାପନା କରିଥିଲେ । ଚଳିତ ବର୍ଷ ପାନୀୟ ଜଳ ଯୋଗାଣ ପାଇଁ ୧୩ ହଜାର ୨ଶହ ୧୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକ ଗୁଡିକ ମଧ୍ୟରୁ ଅନ୍ୟତମ । ୨୦୨୪ ଶେଷ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ପାଇପ ଯୋଗେ ଜଳ ଯୋଗାଣ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ପରିସର ବୃ୍ଦ୍ଧି କରିବା ନିମନ୍ତେ ଯୋଜନା ଆରମ୍ଭ ହୋଇଛି । ୩୬ ହଜାର ୪ଶହ ୫୫ କୋଟି ଟଙ୍କା ମୂଲ୍ୟର ୨ଶହ ୭ ଗୋଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ପରିକଳ୍ପନା ଦ୍ବାରା ଗ୍ରାମାଞ୍ଚଳକୁ ଜଳଯୋଗାଣ କରି ବୃହତ ସଫଳତା ହାସଲ ହୋଇଛି ।
ତେବେ ଚଳିତ ବର୍ଷ ପାନୀୟ ଜଳ ଯୋଗାଣ ପାଇଁ ବ୍ୟୟ ବରାଦ ମଧ୍ୟରେ ବସୁଧା ଯୋଜନା ପାଇଁ ୪ ହଜାର ୭ଶହ ୫୦ କୋଟି ଟଙ୍କା ଏବଂ ଜଳଜୀବନ ମିଶନ ଅଧୀନରେ ୫ ହଜାର ୭ଶହ ୫୦ କୋଟି ଟଙ୍କା , ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣା ପାଇଁ ୨ଶହ ୬୯କୋଟି ଟଙ୍କା ଅନ୍ତର୍ଭୁକ୍ତ । ଓଡିଶା ଖଣିଜ ସମ୍ବଦ ପୂର୍ଣ୍ଣ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ୮ ଗୋଟି ଖଣିଜ ଦ୍ରବ୍ୟ ଥିବା ଜିଲ୍ଲାର ୬ ଶହ ୯୧ ଗୋଟି ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ଗ୍ରାମକୁ ୨ହଜାର ୧ଶହ ୨୭କୋଟି ଟଙ୍କା ଓ ଜିଲ୍ଲା ଖଣିଜ ପାଣ୍ଠିରୁ ୫ ଶହ ୮୮ କୋଟି ଟଙ୍କାର ବ୍ୟୟ ଅଟକଳରେ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ।
ପ୍ରକାଶଥାଉକି , ଚଳିତ ବର୍ଷ ରାଜ୍ୟ ବଜେଟ ୨ଲକ୍ଷ ୩୦ହଜାର କୋଟି ରହିଛି । ଗତବର୍ଷ ତୁଳନାରେ ଏହି ବର୍ଷ ୩୦ହଜାର କୋଟି ବୃଦ୍ଧି କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଗୃହ ବିଭାଗ ପାଇଁ 7313. 61 କୋଟି ବ୍ୟୟ ବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ 1586. 72 କୋଟି ବ୍ୟୟ ବରାଦ ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ 3, 764 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପ୍ରଥମେ କୃଷି ବଜେଟ ଆଗତ ହୋଇଥିଲା । ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ।