ଭୁବନେଶ୍ବର: ସମ୍ବଲପୁର ଦଙ୍ଗା ପଛରେ ତୃତୀୟ ମହଲା ଦାୟୀ। ତୃତୀୟ ମହଲା ଚାହୁଁଥିଲା ସମ୍ବଲପୁରରେ ଦଙ୍ଗା ହେଉ । ଆଶାନ୍ତ ସମ୍ବଲପୁରରୁ ବିଜେପିର ଫ୍ଯାକ୍ଟ ଫାଇଣ୍ଡି ଟିମ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେପି ।
ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ‘‘ସମ୍ବଲପୁର ଦଙ୍ଗା ପଛରେ ତୃତୀୟ ମହଲା ଦାୟୀ। ତୃତୀୟ ମହଲା ଚାହୁଁଥିଲା ସମ୍ବଲପୁରରେ ଦଙ୍ଗା ହେଉ । ଏତେ ବଡ ଘଟଣା ଘଟିଲା । ମୁଖ୍ୟମନ୍ତ୍ରୀ କାହିଁକି ଚୁପ ?’’ ବିଜେପି କହିଛି ଏହା ଏକ ଅତି ସମ୍ବେଦନଶୀଳ ଘଟଣା ହୋଇଥିଲା ବେଳେ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିମ୍ବା ଗୃହ ରାଷ୍ଟ୍ରମନ୍ତ୍ରୀ କାହିଁକି ଚୁପ ବସିଛନ୍ତି? ମୁଖ୍ୟମନ୍ତ୍ରୀ ଆରମ୍ଭରୁ ହସ୍ତକ୍ଷେପ କରିଥିଲେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇନଥାନ୍ତା। କର୍ଫ୍ୟୁ ଲଗାଇବାକୁ ପଡ଼ିନଥାନ୍ତା। ଗୁଇନ୍ଦା ବିଭାଗର ବିଫଳତା ଏବଂ ପ୍ରଶାସନିକ ନିଷ୍କ୍ରିୟତା ପାଇଁ ଏହି ଘଟଣା ଘଟିଲା। ଗତ ବର୍ଷ ମଧ୍ୟ ଗଣ୍ଡଗୋଳ ଖବର ଥିଲା ସେତେବେଳେ ପୋଲିସ ବ୍ୟାପକ ପଦକ୍ଷେପ ନେବା ଯୋଗୁଁ କୌଣସି ଘଟଣା ଘଟି ନଥିଲା। ଏବର୍ଷ ବି ପୋଲିସ ପାଖେ ଖବର ଥିଲା ଏବଂ ହନୁମାନ ଜୟନ୍ତୀ ସମନ୍ବୟ କମିଟି ମଧ୍ୟ ଏସପିଙ୍କୁ ଜଣାଇଥିଲେ। ଦୁଇ ଦିନ ପୁର୍ବରୁ କଳସ ଶୋଭାଯାତ୍ରା ବେଳେ 400ରୁ 500 ପୋଳିସ କର୍ମୀ ନିୟୋଜିତ ଥିଲେ । ହେଲେ 12 ତାରିଖରେ ବାଇକ ରାଲି ବେଳେ ମାତ୍ର 10 ଜଣ ପୋଲିସ କର୍ମୀ ଏବଂ ଜଣେ ଆଇଆଇସି ଥିଲେ। ପୋଲିସ ଆଗରୁ ମଧ୍ୟ ଜାଣିଥିଲା ସେଇଟା ଏକ ସମ୍ବେଦନଶୀଳ ସ୍ଥାନ।
ଏହାବି ପଢନ୍ତୁ- Shah in Rajasthan: କଂଗ୍ରେସ ସିନ୍ଧୁକ ଭରିବାରେ ଆଗରେ ଗେହେଲଟ, ପାଇଲଟଙ୍କୁ ମିଳିବନି ପ୍ରାଧାନ୍ୟ
ସେହିପରି ବିଜେପି କହିଛି, ବିରୋଧୀ ଦଳ ନେତା ଏବଂ ପୋଲିସ ମୁହାଁମୁହିଁ ଘଟଣାରେ ଯେମିତି ତାଙ୍କୁ ଅପରାଧୀ ବୋଲି ଚିତ୍ରଣ କରାଗଲା ପୋଲିସ ପ୍ରଶାସନ ଏକ ହୋଇଗଲେ। ତୃତୀୟ ମହଲା ନିର୍ଦ୍ଦେଶରେ ଏମିତି ହେଉଥିଲା ଏବେ ବି ତୃତୀୟ ମହଲା ନିର୍ଦ୍ଦେଶରେ ଦଙ୍ଗା ହୋଇଛି । କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ହେଉଛି, ଦଙ୍ଗା ହେଉଛି ଓଡ଼ିଶାରେ ସଂପୂର୍ଣ୍ଣ ଭାବେ ଆଇନଶୃଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ଦଳ।
ସେହିଭଳି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି, କର୍ଫ୍ୟୁ ସତ୍ତ୍ଵେ ବି ସମ୍ବଲପୁର ସ୍ଥିତି ସୁଧୁରୁନି। ଗତକାଲି ମଧ୍ୟ ରିଂରୋଡ଼ ନିକଟରେ ଜଣେ ଆଦିବାସୀ ଯୁବକ ଚନ୍ଦ୍ରମଣି ମିର୍ଦ୍ଧା ଘରକୁ ଫେରୁଥିବା ବେଳେ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟର 15ରୁ 20 ଜଣ ପୋଲିସ ଉପସ୍ଥିତିରେ ଆକ୍ରମଣ କଲେ। ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ତାଙ୍କର ଆଉ ଜଣେ ସହଯୋଗୀ ଗୁରୁତର ଅଛନ୍ତି। ହେଲେ ସରକାର ଏପର୍ଯ୍ୟନ୍ତ ଏହାକୁ ଗୁରୁତର ସହ ନନେଇ ଚପାଇ ଦେବାକୁ ଉଦ୍ୟମ କରୁଛି। ରାତି ଅଧରେ ପୋଷ୍ଟମର୍ଟମ କଲେ ଆଉ ରାଜଘାଟ ଶ୍ମଶାନରେ ତାଙ୍କର ସତ୍କାର ବି କରିଦେଲା ପୋଲିସ।
ଏସପି କହୁଛନ୍ତି ସେହି ସ୍ଥାନ ଆଇସୋଲେଟେଡ଼ ସ୍ଥାନ ଥିଲା । ତାଙ୍କର ବ୍ୟକ୍ତିଗତ କାରଣ ଥିଲା ଯାହାପାଇଁ ତାଙ୍କୁ ମାରିଦେଲେ। ତେବେ କଣ ଆବଶ୍ୟକ ଥିଲା ରାତିଅଧିଆ ପୋଷ୍ଟମର୍ଟମ କରି ମୃତଦେହ ସତ୍କାର କରିବା। ତେଣୁ ଏହାର ସ୍ପଷ୍ଟୀକରଣ ପ୍ରଶାସନ ଏବଂ ସରକାର ଦେବା ଦରକାର। ଏବେ ଜଣେ ଡ଼ିଆଇଜି ସେଠାରେ ପହଞ୍ଚି ଘଟଣାକୁ ଚାପିବାକୁ ଉଦ୍ୟମ କରୁଛନ୍ତି। ସମସ୍ତଙ୍କୁ ଧମକ ଦେଉଛନ୍ତି। ବଡ କଥା ହେଲା ଆଜି କର୍ଫ୍ୟୁ ସତ୍ତ୍ଵେ ମଧ୍ୟ ହିନ୍ଦୁମାନଙ୍କ ଘର ଉପରକୁ ପଥରମାଡ ହୋଇଛି। ସେମାନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି। ତେଣୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ରାଜ୍ୟ ସରକାର ଯଦି ନ ସୁଧାରିବ ଆଗକୁ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିବ।
ଇଟିଭି ଭାରତ, ଭୁବନେଶ୍ବର