ଭୁବନେଶ୍ବର: ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ । ପାର୍କ ଏବଂ ସ୍କୁଲ ଉପରେ ଅଧିକ ଧ୍ୟାନ ଦେଉଛି ପ୍ରଶାସନ । ଗତବର୍ଷ ତୁଳନାରେ ଚଳିତ ବର୍ଷ ପଜିଟିଭ ହାର ବଢ଼ିଛି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ରାଜ୍ୟରେ ଶୂନ୍ୟ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ପଜିଟିଭ୍ ହାର ବଢ଼ିଥିବା ବେଳେ ପରୀକ୍ଷଣ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ କରାଯାଇଛି । ସେହିପରି ଭାବରେ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଦଳ ଘରକୁ ଘର ବୁଲି ଲୋକଙ୍କୁ ସତର୍କତା କରାଯାଉଛି ।
ବିଭାଗୀୟ ତଥ୍ୟ ଅନୁଯାୟୀ, ରାଜ୍ୟରେ ଅଗଷ୍ଟ ୧୬ ତାରିଖ ସୁଦ୍ଧା ୨୩ ହଜାର ୭୦୩ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୨ ହଜାର ୧୧୧ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ଠିକ୍ ଏହି ସମୟରେ ୧୭ହଜାର ୩୬୨ ରକ୍ତ ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ହଜାର ୪୪୧ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲେ । ଚଳିତ ବର୍ଷ ଖୋର୍ଦ୍ଧାରେ ୧ ହଜାର ୧୫୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରେ ୧୭୯, ପୁରୀରେ ୧୫୦, କଟକରେ ୧୨୫, ଗଞ୍ଜାମରେ ୧୦୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨ଟି ଜିଲ୍ଲାରେ ପଜିଟିଭ କେସ୍ ଶୂନ୍ୟ ରହିଥିବା ବେଳେ ୧୪ଟି ଜିଲ୍ଲାରେ ଏକ ଘର ବିଶିଷ୍ଟ ପଯିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ଜନିତ ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।
ଏହା ମଧ୍ଯ ପଢନ୍ତୁ...ରାଜ୍ୟରେ ଡେଙ୍ଗୁ ଚିନ୍ତା: ହସ୍ପିଟାଲରେ ବଢୁଛି ଲୋଡ୍, ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ
ରାଜ୍ୟରେ ୪୮ ପ୍ରତିଶତ ପରୀକ୍ଷଣ କରାଯାଇଛି । ସେହିପରି ଗତ ବର୍ଷ ଟିପିଆର୍ ୮.୩ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ୬.୨ ପ୍ରତିଶତ ରହିଛି । ଏପଟେ ପାର୍କ୍ ଓ ସ୍କୁଲ୍କୁ ଅଧିକ ଧ୍ୟାନ ଦିଆଯିବ । ଯେଭଳି ଭାବରେ କୌଣସି ସ୍ଥାନରେ ପାଣି, ଅଳିଆ ଆଦି ନଜମେ ସେହିଭଳି ଭାବରେ ପଦକ୍ଷେପ ନିଆଯିବ । ଏନେଇ ଅଧିକରୁ ଅଧିକା ସଚେତନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲ୍ର ୫୫ ଜଣ ଡେଙ୍ଗୁ ରୋଗୀ ରହିଛନ୍ତି । ପ୍ରତ୍ୟେକ ଦିନ କ୍ୟାପିଟାଲ ହସ୍ପିଟାଲ୍ରେ ୩୦୦ ଜଣଙ୍କର ରକ୍ତ ପରୀକ୍ଷା ହେଉଛି । ଡେଙ୍ଗୁ ମଧ୍ୟ ମେଡିସିନ ମାଧ୍ୟମରେ ଭଲ ହେଉଛନ୍ତି । କେବଳ ୭-୧୦ ଜଣ ରୋଗୀ ହସ୍ପିଟାଲରେ ଆଡମିଶନ ହେଉଛନ୍ତି । ଲୋକମାନେ ଭଲ ଭାବରେ ସତର୍କ ରୁହନ୍ତୁ । ଯଦି ଦୁଇ ଦିନ ପରେ ତୃତୀୟ ଦିନ ଜ୍ଵର ଛାଡୁନାହିଁ ତେବେ ଡେଙ୍ଗୁ ଟେଷ୍ଟ କରାନ୍ତୁ । ତେବେ ଅବହେଳା ନକରି ଟେଷ୍ଟ୍ କରାନ୍ତୁ ନିଜେ ସଚେତନ ରୁହନ୍ତୁ ଅନ୍ୟକୁ ମଧ୍ୟ ସଚେତନ ରହିବାକୁ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଧେଶକ ଲକ୍ଷ୍ମୀଧର ସାହୁ ।
ଇଟିଭି ଭାରତ, ଭୁବନେଶ୍ବର