ଖୋର୍ଦ୍ଧା: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ତେବେ ଏହି ପର୍ବ ଯେ କେବଳ ପଶ୍ଚିମ ଓଡିଶାରେ ପାଳନ ହୁଏ, ତାହା ନୁହେଁ ବରଂ ପୂର୍ବ ଓଡିଶାରେ ମଧ୍ୟ ପାଳିତ ହୁଏ ନୂଆଁଖାଇ । ଯାହାର ଝଲକ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଂପୁର ଗ୍ରାମରେ । ଏଠାରେ ନୂଆଁଖାଇ ପର୍ବ ଆଡମ୍ବର ସହକାରେ ପାଳନ ହେଉଥିବା ଦେଖିବାକୁ ମିଳିଛି ।
ସଂପୁର ଗ୍ରାମବାସୀ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ନୂଆ ପୋଷାକ ପରିଧାନ କରି ବାଲୁଙ୍କେଶ୍ବର ମନ୍ଦିରରେ ହାଜିର ହୋଇଯାଆନ୍ତି । ସ୍ନେହ ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ନୂଆଁଖାଇରେ ନୂଆ ଚାଉଳ ନୂଆ ଚୁଡ଼ା ସହ ଠାକୁରଙ୍କ ପାଖରେ ନଅ ପ୍ରକାର ବ୍ୟଞ୍ଜନ ଲାଗି ହୋଇଥାଏ । ନବାନ୍ନ ଲାଗିବା ପରେ ସମସ୍ତେ ଉକ୍ତ ପ୍ରସାଦକୁ ନିଜ ନିଜ ଘରକୁ ନେଇ ଆନନ୍ଦରେ ସମସ୍ତେ ମିଶି ଏକାଠି ବସି ନୂଆଁଖାଇ ପାଳନ କରିଥାଆନ୍ତି ।
କିମ୍ବଦନ୍ତୀ କହେ ଖୋର୍ଦ୍ଧା ରାଜାଙ୍କ କନ୍ୟା ମୁକ୍ତା ଦେଇ ସମ୍ବଲପୁରର ରାଜା ଜୟନ୍ତ ସିଂହଙ୍କୁ ବିବାହ କରିଥିଲେ । ୧୯୧୭ ମସିହାରେ ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେବା କାରଣରୁ ସେ ଯୌତୁକ ବାବଦରେ ପାଇଥିବା ସଂପୂର ରାଜ୍ୟରେ ଆସି ଅବସ୍ଥାନ କଲେ । କାରଣ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ ଇଂରେଜମାନଙ୍କ କଠୋର ଶାସନକୁ ପାଇକମାନେ କାର୍ଯ୍ୟକାରୀ କରାଉନଥିଲେ । ସମ୍ବଲପୁର ରାଣୀ ଏହି ଅଞ୍ଚଳରେ ରହିଥିବାରୁ ନୂଆଖାଇ ପର୍ବକୁ ଆରମ୍ଭ କରିଥିଲେ । ସେବେଠାରୁ ଏହି ଅଞ୍ଚଳରେ ନୂଆଁଖାଇ ପର୍ବ ପାଳନ କରାଯାଉଥିବା କହିଛନ୍ତି ବୃଦ୍ଧିଜୀବୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ