ଭୁବନେଶ୍ବର : ରାଜଧାନୀରେ ମହିଳା ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ଏଭଳି ଅଭିଯୋଗ ଆଣି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ନିକଟରେ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣା ଏବଂ ଭୁବନେଶ୍ୱରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ତାତିଛି କଂଗ୍ରେସ । ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଇସ୍ତଫା ଦାବି କରିବା ସହ ବାସଭବନ ଉପରକୁ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ ।ଏହାସହ ମନ୍ତ୍ରୀଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ଇସ୍ତଫା ନେଇ କର୍ମୀମାନଙ୍କ ସ୍ଲୋଗାନରେ କମ୍ପୁଥିଲା ଲୋୟର PMG ।
ସେପଟେ ରାଜ୍ୟ ସରକାରଙ୍କୁ ମଧ୍ୟ ଘେରିଛନ୍ତି ବିରୋଧୀ । ଉଭୟ ଘଟଣାରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ । ତେବେ ମନ୍ତ୍ରୀଙ୍କ ବାସଭବନ ଘେରାଉ ସମୟରେ ଛାତ୍ର କଂଗ୍ରେସର ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଉଭୟ ଘଟଣାରେ ନିରପେକ୍ଷ ତଦନ୍ତ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ ।
ସାରା ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି । ମହିଳାଙ୍କୁ ନ୍ୟାୟ ଦେଇ ପାରୁନାହାଁନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରତିଦିନ ମହିଳା ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଜଣେ ମହିଳା ନିର୍ଯାତନାର ଶିକାର ହେଉଛନ୍ତି । ଯାହା ସହଜରେ ଗ୍ରହଣୀୟ ନୁହେଁ । ତେଣୁ ତୁରନ୍ତ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ନଚେତ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।
ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ ନାରବାଜି ଦେବାସହ ମନ୍ତ୍ରୀଙ୍କ ବାସଭବନକୁ ପଶିବାକୁ ଉଦ୍ୟମ କରିଥିଲେ କର୍ମୀ । ଏହାକୁ ନେଇ ପୋଲିସ ଅଟକାଇବାରୁ ଉଭୟଙ୍କ ଭିତରେ ମଧ୍ୟ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ପୋଲିସ ଉତ୍ତେଜିତ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।
ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ମାମଲାରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ସିଧାସଳଖ OCAକୁ ଦାୟୀ କରିଥିଲେ ପରିବାର ଲୋକେ । ରାଜଶ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ସମର୍ଥନ କରି ନିକଟରେ ବିଜେପି ପକ୍ଷରୁ OCA କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏବେ ଏହି ଘଟଣା ନେଇ ସାମ୍ବାଦିକ ସମ୍ବିଳନୀ ଜରିଆରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, କ୍ରୀଡାମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ଏହି ମାମଲାରେ ଏସଆଇଟି ତଦନ୍ତ ଦାବି କରିଛି ଛାତ୍ର କଂଗ୍ରେସ ।
ଇଟିଭି ଭାରତ, ଭୁବନେଶ୍ବର