ଭୁବନେଶ୍ବର: ଘର ଘର ବୁଲି ବିଜୁଳି ବିଲ ଦେବା ହେଉ କିମ୍ବା ବିଜୁଳିର ପଇସା କଲେକ୍ସନ କରିବା ସାଧାରଣତଃ ଏହି କାମରେ ପୁରୁଷମାନେ ନିୟୋଜିତ ହୋଇଥାନ୍ତି । ହେଲେ ବିଜୁଳି କମ୍ପାନୀ ଫେଡ଼କୋ ପ୍ରଥମଥର ପାଇଁ ଗାଁର ମହିଳାଙ୍କ ପାଇଁ ଆଣିଛି ନୂଆ ସୂଯୋଗ । ଏଣିକି ମହିଳା କାଟିବେ ବିଜୁଳି ବିଲ । ଏଥିପାଇଁ ଫେଡକୋ ପକ୍ଷରୁ 139 ଜଣ ମହିଳା ଏସଏସଜି ଗ୍ରୁପଙ୍କୁ ଏହି କାମରେ ନିୟୋଜିତ କରାଯାଇଛି । ଗୁରୁବାର ଫେଡ଼କୋର 6 ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀର ସିଇଓ ଏନେଇ ସୂଚନା ଦେଇଛନ୍ତି ।
ଫିଡବ୍ୟାକ ଏନର୍ଜି ଡିଷ୍ଟ୍ରିବ୍ୟୁସନ କମ୍ପାନୀ(ଫେଡକୋ) ଦ୍ବାରା ଉପଲବ୍ଧ ଗ୍ରାହକ କୈନ୍ଦ୍ରିକ ସେବା ଯୋଗୁଁ ଗ୍ରାହକଙ୍କ ସମସ୍ୟାର ତ୍ବରିତ ସମାଧାନ ହୋଇପାରିଛି ଓ ବିଦ୍ୟୁତ ସରବରାହକୁ ଶିଘ୍ର ପୁନଃ ସକ୍ରିୟ କରାଯାଇପାରୁଛି ବୋଲି ଫେଡକୋ ପରିଚାଳନା ନିର୍ଦ୍ଦେଶକ ଦେବତୋଷ ଚତୁର୍ବେଦୀ କହିଛନ୍ତି ।
ଏହା ସହିତ ଆଗାମୀ ଦିନରେ ପୁରୀ ଜିଲ୍ଲାରେ ମଧ୍ୟ ଖୁବଶୀଘ୍ର ମହିଳାଙ୍କୁ ବିଜୁଳି ବିଲ୍ କଟିବାରେ ନିୟୋଜିତ କରାଯିବ ବୋଲି ଫେଡ଼କୋ କମ୍ପାନୀର ସିଇଓ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲାର 30 ଜଣ ମହିଳାଙ୍କୁ ଏଥିପାଇଁ ସ୍ବତନ୍ତ୍ର ତାଲିମ ଦିଆଯାଇଛି । ଫେଡ଼କୋ ରାଜ୍ୟର 4ଟି ଅଞ୍ଚଳ ଯଥା ନୟାଗଡ, ବାଲୁଗାଁ, ଖୋର୍ଦ୍ଧା ଓ ପୁରୀ ଆଦିରେ ବିଜୁଳି ପ୍ରଦାନ କରୁଥୁବା ବେଳେ ଆଗକୁ ଆହୁରି ଅନେକ ଅଞ୍ଚଳକୁ ବିଜୁଳି ସପ୍ଲାଏ କରିବା ନେଇ ସୂଚନା ରହିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ