ଖୋର୍ଦ୍ଧା: ନାହିଁନାହିଁରେ ଚାଲିଛି ବିଦ୍ୟାଳୟ । ଅନେକ ସମସ୍ୟା ଭିତର ଦେଇ ଗତି କରୁଛି ଜଟଣୀ ବ୍ଲକ୍ ଅଙ୍ଗାରପଡ଼ା ପଞ୍ଚାୟତ ମାନପୁର ପ୍ରାଥମିକ ବିଦ୍ୟାଳୟ । ଦୀର୍ଘ ଆଠ ବର୍ଷ ହେବ ତିରିଶରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଗଛ ମୂଳେ ପଢ଼ୁଛନ୍ତି ପାଠ । ଭୁବନେଶ୍ଵରର ଖୁବ ନିକଟତର ହୋଇ ମଧ୍ୟ କିପରି ଶିକ୍ଷା ବିଭାଗର ନଜରକୁ ଆସିନାହିଁ ବିଦ୍ୟାଳୟ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ଏହି ଗ୍ରାମରେ ଆଦିବାସୀ ଦଳିତ ଶ୍ରେଣୀର ଲୋକେ ଅଧିକ ସଂଖ୍ୟାରେ ବସବାସ କରୁଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନଜରକୁ ଆସିନାହିଁ ମାନପୁର ପ୍ରାଥମିକ ବିଦ୍ୟାଳୟ । ଶ୍ରେଣୀ ଗୃହ, ରୋଷ ଘର, ପାନୀୟଜଳ କୌଣସି ସୁବିଧା ନଥିବାରୁ ଗଛ ମୂଳେ ପଢ଼ୁଛନ୍ତି ପିଲା । ଗଛ ମୂଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ମଧ୍ୟ ହେଉଛି।
ମାନପୁର ଗ୍ରାମର ଲୋକ ମାନେ ଆଠ ବର୍ଷ ହେବ ପ୍ରଶାସନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ ଜଣାଇ ନିରାଶ ହୋଇଥିବା କହିଛନ୍ତି । ସେପଟେ ସ୍କୁଲ ଗୃହ ନଥିବାରୁ ଦିନ ୧୦ଟା ରୁ ୧ଟା ପର୍ଯ୍ୟନ୍ତ ପିଲା ଗଛ ତଳେ ପାଠ ପଢ଼ୁଥିବା ବେଳେ ଅଙ୍ଗନବାଡ଼ି ଛୁଟି ପରେ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢ଼ନ୍ତି । ତେବେ ଘଟଣା ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ କ୍ୟାମେରା ସମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା