ଭୁବନେଶ୍ବର: ପାଳନ ହୋଇଛି ୬୯ ତମ ବନ୍ୟପ୍ରାଣୀ ସପ୍ତାହ । ଏହି ଅବସରରେ ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବନ୍ୟପ୍ରାଣୀ ଜନିତ କ୍ଷୟକ୍ଷତି ପାଇଁ ସରକାର ଚଳିତ ବର୍ଷ ସହାୟତା ରାଶି ବୃଦ୍ଧି କରିବା ସହ ଏହି ରାଶି ଅନୁକମ୍ପା ପୋର୍ଟାଲ ମାଧ୍ୟମରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ଉପଲବ୍ଧ କରାଯାଉଛି । ୬୯ ତମ ବନ ପ୍ରାଣୀ ସପ୍ତାହ ୨୦୨୩ ପାଳନ ହୋଇଛି । ଆମ ରାଜ୍ୟ ବନ୍ୟପ୍ରାଣୀଙ୍କ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଚଳିତ ବର୍ଷ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ 'ବିଜୁ ପଟ୍ଟନାୟକ ପୁରସ୍କାର' ପ୍ରଦାନ କରାଯାଇଛି । ଯୁଗ୍ମ ବିଜେତା ବିପିନ ବିହାରୀ ପ୍ରଧାନ ଓ ଅଶ୍ଵିନୀ କୁମାର ଦାସଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଜନସାଧାରଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ ହେଉଛି ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସେମାନଙ୍କ ଆବାସସ୍ଥଳୀର ଅଭିବୃଦ୍ଧି । ଏଥିପାଇଁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରାଯାଉଥିବା କହିଛନ୍ତି ମୁଖ୍ୟ ବନ ସଂରକ୍ଷକ ସୁଶୀଲ କୁମାର ପୋପଲି । ସେପଟେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, "ରାଜ୍ୟରେ ଥିବା ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯିବ । ଜନସାଧାରଣଙ୍କ ସକ୍ରିୟ ସହଯୋଗ ଦ୍ଵାରା ପରିବେଶ ପର୍ଯ୍ୟଟନର ବିକାଶ, “ଗଜସାଥି” ଓ “ଜନସୁରକ୍ଷା ଗଜରକ୍ଷା” ଇତ୍ୟାଦି ଯୋଜନାର ସଫଳ ରୂପାୟନ କରାଯାଉଛି।"
ଏହା ବି ପଢନ୍ତୁ...ଅସୁରକ୍ଷିତ ବନ କର୍ମଚାରୀ: ଲାଠିରେ ଚାଲିଛି ଜଙ୍ଗଲ ବନ୍ୟଜନ୍ତୁ ସୁରକ୍ଷା
ବନ୍ୟପ୍ରାଣୀ ଜନିତ କ୍ଷୟକ୍ଷତି ନିମନ୍ତେ ସରକାର ଚଳିତ ବର୍ଷ ସହାୟତା ରାଶି ବୃଦ୍ଧି କରିଛନ୍ତି । ଏହି ରାଶି ଅନୁକମ୍ପା ପୋର୍ଟାଲ ମାଧ୍ୟମରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ଉପଲବ୍ଧ ହୋଇପାରୁଥିବା ନେଇ ସରକାରଙ୍କ ତରଫରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ସୂଚନା ଅନୁଯାୟୀ, ଏହି ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ପାଳନ ଅବସରରେ ରାଜ୍ୟ ସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଛି। କ୍ଵିଜ୍ , ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତାମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । “Wildlife Odisha 2023”, “Majestic Stripes: A Pictorial Tribute to Tigers of Odisha”, “Many Moods of Elephants of Odisha: Beauty & Majesty Unveiled”, “Unforgettable Impressions” ଓ “Debrigarh-The Seen & The Unseen” ୫ ଗୋଟି ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଛି।
ଇଟିଭି ଭାରତ, ଭୁବନେଶ୍ବର