ଭୁବନେଶ୍ବର: ଓଡ଼ିଶାରେ ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରିଛି ନବନିର୍ମାଣ କୃଷକ ସଂଗଠନ । ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ଯୁବ ଛାତ୍ର ସଂଗଠନର ସଦସ୍ୟ ମାନେ ବିଜୁଳି କାଟ୍ ମୁକ୍ତ ଓଡ଼ିଶା ଦାବିରେ ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଘେରାଉ କରିବାକୁ ଯିବା ସମୟରେ ପୋଲିସ ଯୁବ ଛାତ୍ର ସଂଗଠନର ସଦସ୍ୟ ମାନଙ୍କୁ ଉଠାଇନେଇଥିଲା । ସଂଗଠନର ସଦସ୍ୟ ଯେତେବେଳେ ଶକ୍ତିମନ୍ତ୍ରୀଙ୍କ ଘର ଆଡକୁ ଘେରାଉ ପାଇଁ ବ୍ୟାନର ଧରି ନାରାବାଜି କରି ଶୋଭାଯାତ୍ରାରେ ଆସିଥିଲେ, ସେହି ସମୟରେ ପୋଲିସ ମନ୍ତ୍ରୀଙ୍କ ଘର ପାଖରୁ ତାଙ୍କୁ ଉଠାଇନେଇଥିଲା ।
ତେବେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ଅଭିଯୋଗ ଅନୁସାରେ ଗ୍ରୀଷ୍ମ ଋତୁରେ ଲୋକେ ସନ୍ତୁଳି ହେଉଥିବା ବେଳେ ବିଭିନ୍ନ କଥା କହି ବାହାନା କରି ବିଦ୍ୟୁତ୍ କାଟ୍ ହେଉନଥିବା କହୁଛନ୍ତି ଶକ୍ତିମନ୍ତ୍ରୀ । ବାସ୍ତବିକ ଏହା ସତ୍ୟ ନୁହେଁ । ଏହାରି ଭିତରେ ନିଜେ ଶକ୍ତିମନ୍ତ୍ରୀ ଯେତେବେଳେ ବିଦ୍ୟୁତ୍ କାଟ୍ ସମସ୍ୟାର ସମାଧାନ କରିପାରୁନହାନ୍ତି, ଏତେ ମିଛ କାହିଁକି କହୁଛନ୍ତି ବୋଲି ସଂଗଠନ ପ୍ରଶ୍ନ କରିଛି । ତେଣୁ ନିଜ ଦାୟିତ୍ବକୁ ସୁଚାରୁ ରୂପେ ପାଳନ କରିପାରୁନଥିବାରୁ ବହିଷ୍କାର ଦାବି କରିଛି ସଂଗଠନ । ଏହାସହ ଓଡ଼ିଶାକୁ ବିଦ୍ୟୁତ କାଟ୍ରୁ ମୁକ୍ତି, ବିଦ୍ୟୁତ୍ କାଟ୍ର ସ୍ଥାୟୀ ସମାଧାନ, ଚାଷୀଙ୍କୁ ବିଦ୍ୟୁତ୍ ବିଲ୍ ଛାଡ଼, ଟାଟା ପାୱାର ପରି ଶୋଷଣକାରୀ ବିଦ୍ୟୁତ ସଂସ୍ଥାକୁ ବହିଷ୍କାର କରି ଲୋକଙ୍କୁ ଉତ୍ତମ ବିଦ୍ୟୁତ ସେବା ଯୋଗାଇବା ଭଳି ଦାବି କରି ଏଭଳି ଘେରାଉ କରିଛି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ।
ସେପଟେ ଧାରଣାକୁ ନେଇ ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଭାପତି ମନୱର ଅଲ୍ଲୀ କହିଛନ୍ତି, "ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ସବୁବେଳେ ପାୱାର୍ କଟ୍ ହେଉଛି । କିନ୍ତୁ ଏଠି ଶକ୍ତିମନ୍ତ୍ରୀ ଲୋକଙ୍କ ପ୍ରଶ୍ନ ଉତ୍ତର ନଦେଇ ମିଛ କହୁଛନ୍ତି । ଖାଲି ସେତିକି ନୁହେଁ, ସାରା ଓଡ଼ିଶାରେ ପାୱାର୍ କଟ୍ ହେଉଥିବା ବେଳେ ଟାଟା ପାୱାର୍ ଲୋକଙ୍କୁ ଶୋଷଣ କରୁଛି ଓ ଦାଦାଗିରି କରି ଗରିବ ଲୋକଙ୍କ ତଣ୍ଟି ଚିପି ପଇସା ନେଉଛି । ଏହାସହ ଭିତ୍ତିଭୂମିର ଅଭାବର ବାହାନା କରିଛନ୍ତି ହେଲେ ୨୦୧୬ ମସିହାରେ ୨୦ କୋଟି ମଞ୍ଜୁରୀ ହୋଇଥିଲେ ହେଁ ଆଜିଯାଏଁ କହିଁକି ତାହା କାର୍ଯ୍ୟକାରୀ ହେଉନି ? ତେଣୁ ଶକ୍ତିମନ୍ତ୍ରୀ ନିଜର ଉତ୍ତରଦାୟିତ୍ବ ବୁଝି ବିଦ୍ୟୁତ୍ କାଟ୍କୁ ବନ୍ଦ କରନ୍ତୁ, ନହେଲେ ମନ୍ତ୍ରୀ ଯେଉଁଆଡେ ଯିବେ, ତାଙ୍କୁ ଆମେ ସବୁଠି ପ୍ରତିବାଦ କରିବୁ ।" ଆଜିର ଏ ପ୍ରତିବାଦ ଟ୍ରେଲର ମାତ୍ର, ମନ୍ତ୍ରୀ ଯଦି ଏହି ସବୁ ଦାବିକୁ ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରିବୁ ବୋଲି ନବନିର୍ମାଣ ଯୁବ ଛାତ୍ର ସଂଗଠନ କହିଛି ।
ଇଟିଭି ଭାରତ, ଭୁବନେଶ୍ବର