ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ ପରେ ବିଭିନ୍ନ ମହଲରେ ବିଜେଡିକୁ ସମାଲୋଚନା କରାଯାଉଛି । ୨୦୦୯ ପରଠାରୁ କୌଣସି ଉପନିର୍ବାଚନରେ ହାରି ନଥିବା ଶାସକ ଦଳର ସମସ୍ତ ପ୍ରକାର ରଣନୀତି ଧାମନଗରରେ ଫେଲ ମାରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ନବ ନିର୍ମାଣ କୃଷକ ସଂଗଠନ (Naba Nirman Krushak Sangathan) । ଏକ ଅହଂକାର ଶାସନର ପତନ ହେଲା ବୋଲି କହିଛନ୍ତି ସଂଗଠନର ସଂଯୋଜକ ଶେଷଦେବ ନନ୍ଦ ।
ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜୟ ମୁକୁଟ ପିନ୍ଧିଛନ୍ତି । ଚଳିତ ଉପନିର୍ବାଚନ ଫଳାଫଳରେ ରାଜ୍ୟ ରାଜନୀତି ଇତିହାସରେ ପ୍ରଚଳିତ ଧାରାରେ ଏକ ବଡ ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୦୦୯ ମସିହା ପରେ ପ୍ରଥମ ଥର ଓ ୨୦୦୦ ମସିହା ପରେ ଶାସକ ବିଜେଡିକୁ ତୃତୀୟ ଥର ପାଇଁ ଉପନିର୍ବାଚନରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ଏନେଇ ବିଭିନ୍ନ ମହଲରେ ଶାସକ ଦଳକୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ଏକ ଅହଂକାର ଶାସନର ପତନ ହେଲା ବୋଲି କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ସଂଯୋଜକ ଶେଷଦେବ ନନ୍ଦ ।
ଏହା ମଧ୍ୟ ପଢ଼ନ୍ତୁ...Dhamnagar By poll Result: ବିଜୟୀ ହେଲେ ସୁରଜ, କହିଲେ ଧାମନଗରବାସୀଙ୍କ ପାଇଁ ସର୍ବଦା ସମର୍ପିତ ରହିବି
ବିଜେଡିର ପରାଜୟକୁ ନେଇ ଶେଷଦେବ କହିଛନ୍ତି, "୨୫ ବର୍ଷ ଶାସନରେ ରହି ବିଜେଡି ସରକାର ଏକଛତ୍ରବାଦୀ ଶାସନ ଚଳାଇଛି । ଶାସନ କଳର ଉପଯୋଗ କରି ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କୁ ହଇରାଣ କରୁଛି ବିଜେଡି । ଭୋଟ ପରେ ଲୋକଙ୍କର ମୌଳିକ ଅଧିକାର ଓ ସୁବିଧାକୁ ଭୁଲିଯାଉଛି ସରକାର । କ୍ଷମତା ମୋହରେ ଅନ୍ଧ ସରକାର ପାଇଁ ଚାଷୀ ଆଜି ରାଜରାସ୍ତାରେ । ସେଥିପାଇଁ ଏହି ସରକାରଙ୍କୁ ଧୀରେ ଧୀରେ ଜନତା ପ୍ରତ୍ୟାଖାନ କରୁଛନ୍ତି । ଧାମନଗର ପରାଜୟ ପରେ ଏହା ସ୍ପଷ୍ଟ ହୋଇଛି ।" ତେବେ ଧାମନଗରବସୀଙ୍କ ଜବାବ ମାଧ୍ୟମରେ ବିଜୁ ଜନତା ଦଳ ହାରେ ନାହିଁ ବା ନବୀନ ବିଶ୍ଵବିଜୟୀ ଏହି ନାଟକର ପୂର୍ଣ୍ଣଛେଦ ପଡିଛି ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର