ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାରେ ଲାଗିପଡିଛି ବିଜେଡି । ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମାନସ ମନ୍ଥନ ଚାଲିଛି । ଏହାରି ମଧ୍ୟରେ ଦକ୍ଷିଣ ଓଡ଼ିଶା ତଥା ରାୟଗଡାର ପ୍ରଭାବଶାଳୀ ନେତା ଏନ ଭାସ୍କର ରାଓ ଦଳୀୟ ସଂଗଠନକୁ ଫେରିଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦଙ୍କୁ ପୁଣିଥରେ ବିଜେଡି ନିଜର ସଂଗଠନରେ ଗୁରୁତ୍ୱ ଦେଇଛି । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାସ୍କରଙ୍କୁ ସଂଗଠନକୁ ଫେରାଇ ଆଣି ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି 5 ଜଣ ନେତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଓ ରାଜ୍ୟ ସମ୍ପାଦକ ପଦବୀରେ ଥଇଥାନ କରାଯାଇଛି ।
2020 ଜୁଲାଇରେ ଦଳର କର୍ମକର୍ତ୍ତା କମିଟି ପୁନର୍ଗଠନରେ ଭାସ୍କର ସଂଗଠନରୁ ବାଦ୍ ପଡ଼ିଥିଲେ । ବିଜେଡି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏନ.ଭାସ୍କର ରାଓଙ୍କୁ ଦଳର ଉପସଭାପତି ଦାୟିତ୍ୱ ମିଳିଛି । କୋରାପୁଟର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ଇଶ୍ୱର ପାଣିଗ୍ରାହୀଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ କରାଯାଇଛି । ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା କଂଗ୍ରେସ ନେତା ମହେନ୍ଦ୍ର ନାଏକ ଓ ବିଜେପି ନେତା ମଙ୍ଗଳ ସାହୁଙ୍କୁ ରାଜ୍ୟ ସମ୍ପାଦକ ପଦ ମିଳିଛି । ଝାରସୁଗୁଡ଼ା ଉପନିର୍ବାଚନ ବେଳେ ବିଜେପି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଙ୍ଗଳ ସାହୁ । 2019 ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିଲେ ଆଦିବାସୀ ନେତା ମହେନ୍ଦ୍ର ନାଏକ । ବୌଦ୍ଧ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଥିବା ସୁଧୀର ମହାକୁଡ଼ ଓ କଳାହାଣ୍ଡି ଜିଲ୍ଲାର ନେତା ବାବୁଲି ମଣ୍ଡଳଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।
ଏହା ମଧ୍ୟ ପଢନ୍ତୁ-Next Opposition meeting: ଆସନ୍ତା 14-15ରେ ବେଙ୍ଗାଲୁରୁରେ ଏକାଠି ହେବେ ବିରୋଧୀ
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଳ ଏବେ ବିଭିନ୍ନ ନେତାଙ୍କୁ ସଂଗଠନରେ ଥଇଥାନ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଦଳର ପୁରୁଖା ନେତା ଭାସ୍କର ଗତ କିଛି ବର୍ଷ ହେବ ସଂଗଠନରେ କୋଣଠେସା ହୋଇ ରହିଥିଲେ । ରାଜ୍ୟସଭା କାର୍ଯ୍ୟକାଳ ସରିବା ପରେ ଦଳରେ କୌଣସି ଦାୟିତ୍ୱ ତାଙ୍କୁ ମିଳିନଥିଲା । କିଛି ମାସ ପୂର୍ବରୁ ସେ ବିବାଦୀୟ ହୋଇଥିଲେ । ମାଓବାଦୀଙ୍କ ସହ ସମ୍ପୃକ୍ତି ନେଇ ଜିଲ୍ଲାର ଟ୍ରକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା । ହେଲେ ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଉପସଭାପତି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ଭାସ୍କର ଦଳର ରାଜ୍ୟ ଉପସଭାପତି ଭାବେ 2016 ମାର୍ଚ୍ଚରୁ 2020 ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ । ସେହିପରି 2016ରୁ 2022 ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ ସେ କାର୍ଯ୍ୟ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର