ଖୋର୍ଦ୍ଧା: ଲକଡାଉନ ସମୟରେ ବେଧଡକ ଫଟା ଚାଲିଛି ମୁଣ୍ଡିଆ । ବ୍ଲାଷ୍ଟିଂର ଶବ୍ଦ ଏତେ ଅଧିକ ଯେ, ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି କରୁଛି ଭୂମିକମ୍ପର ଭ୍ରମ । ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଲିମ୍ବା ମୁଣ୍ଡିଆରେ ଚାଲୁଥିବା ଅଭିଯୋଗ ହୋଇଛି । ସରକାରୀ କର୍ମଚାରୀ ଓ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିନା ପଲ୍ଳୀ ସଭା ଓ ସରପଞ୍ଚଙ୍କ ଅଜାଣତରେ ଖଣି ନିଲାମ କରି ଲକଡାଉନ ନିୟମକୁ ଉଲ୍ଲଂଘନ କରାଯାଉଛି ।
ସେପଟେ ବେଆଇନ ଭାବେ ଦିନ ରାତି ବେଧଡ଼କ ଭାବେ ପଥର ବ୍ଲାଷ୍ଟିଂ ହେଉଛି । ଯାହା କାରଣରୁ ସ୍ଥାନୀୟ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହେବା ସହ ବାରୁଦର ଗନ୍ଧ ପରିବେଶ ପ୍ରଦୂଷଣ କରୁଛି । ଫଳରେ ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇ ପଡିଛି । ଏନେଇ ଗ୍ରାମବାସୀ ଏବଂ ସରପଞ୍ଚ ବାରମ୍ବାର ପ୍ରଶାସନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବା ଯୋଗୁଁ ରବିବାର ରାତିରେ ଗ୍ରାମବାସୀଙ୍କ ସହ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ପଥର ଫଟା ବନ୍ଦ କରିଥିଲେ । ପରେ ସୋମବାର ପୁନର୍ବାର ସମ୍ପୃକ୍ତ ସଂସ୍ଥା ପଥର ବ୍ଲାଷ୍ଟିଂ କରିଛି ।
ଏହାସହ ଯଦି ଏହି କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ବନ୍ଦ କରାନଯାଏ ତେବେ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ସେପଟେ ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲା ଇଟିଭି ଭାରତ । ଯେଉଁଥିରେ ସେ କହିଥିଲେ କି ଏନଏଚଆଇକୁ ମୁଣ୍ଡିଆ ତିନିମାସିଆ ଲିଜରେ ଦିଆଯାଇଛି । କିନ୍ତୁ ଯଦି ସ୍ଥାନୀୟ ଲୋକେ ଏଥିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଏନେଇ ଲିଖିତ ଭାବେ ଜଣାନ୍ତୁ । ଏହାପରେ ଜିଲ୍ଲାପାଳଙ୍କ ସହ କଥା ହୋଇ ଲିଜ ପ୍ରତ୍ୟାହାର କରିଯିବ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ସାରା ବିଶ୍ବ କୋରୋନା ଆତଙ୍କରେ ଘରେ ତାଲାବନ୍ଦ ଅବସ୍ଥାରେ ଥିବା ବେଳେ କାହା ସ୍ବାର୍ଥରେ ମୁଣ୍ଡିଆ ଫଟା ଯାଇ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ