ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ସୋମବାର ସନ୍ଧ୍ୟାରେ ଲକ୍ଷ୍ମୀସାଗରର ୪୩ ନମ୍ବର ୱାର୍ଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବୁଦ୍ଧେଶ୍ବରୀ କଲୋନି ନିକଟରେ ଭୁବନେଶ୍ବର ସାଂସଦ ବିରୋଧର ସମ୍ମୁଖୀନ ହୋଇଛନ୍ତି । ସାଂସଦ ଅପରାଜିତାଙ୍କ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ । ଏକାଧିକ ମହିଳା ତାଙ୍କ ଗାଡ଼ି ଆଗକୁ ଚାଲି ଆସି ରାସ୍ତାରୋକ କରିଥିଲେ । ଏଥିପାଇଁ ପ୍ରାୟ ଦୁଇ ଘଣ୍ଟା ଧରି ଅପରାଜିତାଙ୍କୁ କାରରେ ଅଟକି ରହିବାକୁ ପଡିଥିଲା । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ । ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏହି ଘଟଣାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି ଭୁବନେଶ୍ୱର ସାଂସଦ ।
ଏହି ବିରୋଧ ପରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସାଂସଦ ଅପରାଜିତା । ସାଂସଦ କହିଛନ୍ତି, "ମୁଁ ରାଜ୍ୟ ସରକାରଙ୍କ ଦୟାରେ ଭୁବନେଶ୍ଵର ସାଂସଦ ହୋଇନାହିଁ । ମୋତେ ୨ ଘଣ୍ଟା ଅଟକାଇ ଦିଆଗଲା । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଭାବେ ବିରୋଧ ପ୍ରୟାସ ବିଫଳ ହୋଇଛି । ମୋ ସୁରକ୍ଷା ଦାୟିତ୍ବ ରାଜ୍ୟ ସରକାରଙ୍କର । ମୋ ସୁରକ୍ଷାରେ ତ୍ରୁଟି ପାଇଁ ସରକାର ଦାୟୀ ।" ଏମିତିକି ଏହି ଘଟଣା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିବି ବି ମାଗିଛନ୍ତି ।
ଚିଠିରେ ଅପରାଜିତା ଷଡଙ୍ଗୀ ଲେଖିଛନ୍ତି ଯେ, ଏକ ସଭାକୁ ଯାଉଥିବା ବେଳେ କିଛି ଅସାମାଜିକ ଲୋକ ମୋ କାର୍ ଅଟକାଇଥିଲେ । ମୁଁ ପୋଲିସକୁ ଅପେକ୍ଷା କରି ୨ ଘଣ୍ଟା ଧରି କାରରେ ବସି ରହିଥିଲେ । ମୋର ୨ ଘଣ୍ଟା ସମୟ ନଷ୍ଟ ହେଲା । ନଷ୍ଟ ହୋଇଥିବା ମୋ ସମୟର ସରକାର କେମିତି ଭରଣା କରିବେ ? ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ୫ ମିନିଟ ପାଇଁ କେବେ ଅଟକାଇ ହେବ କି ? ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଏମିତି ପାତରଅନ୍ତର ନୀତି ମୋତେ କଷ୍ଟ ଦେଇଛି ।
ସୂଚନା ମୁତାବକ, ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତ୍ରଣ କ୍ରମେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଭୁବନେଶ୍ବର ୱାର୍ଡ ନମ୍ବର ୪୩ ଅଞ୍ଚଳ ସ୍ଥିତ ପୁରୁଣା ପୋଷ୍ଟ ଅଫିସ ଗଳିରେ ଏକ କାର୍ଯ୍ୟକ୍ରମକୁ ଯାଉଥିଲେ l ଏହି କାର୍ଯ୍ୟକ୍ରମର ପୂର୍ବ ସୂଚନା ରବିବାର ରାତିଠାରୁ ସରକାରଙ୍କୁ ଦିଆଯାଇଥିଲା l ସାଂସଦଙ୍କ ଯାତାୟାତ ଏବଂ କାର୍ଯ୍ୟକ୍ରମ ସ୍ଥଳର ସମସ୍ତ ସୁରକ୍ଷା ଦାୟିତ୍ବ ରାଜ୍ୟ ସରକାରଙ୍କର l ହେଲେ ପ୍ରାୟୋଜିତ ଭାବେ ଶାସକ ଦଳର କିଛି କର୍ମୀ କୌଣସି ନିର୍ଦ୍ଧିଷ୍ଟ କାରଣ ନଥାଇ ଗୁଣ୍ଡାଙ୍କ ଭଳି ସାଂସଦଙ୍କ ରାସ୍ତା ଅଟକାଇଥିଲେ ଏବଂ ସରକାରଙ୍କୁ 4ରୁ 5 ଜଣ ହାତଗଣତି ଲୋକଙ୍କୁ ହଟାଇବା ପାଇଁ 2 ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ଅଭିଯୋଗ ଆଣିଛି ବିଜେପି l
ଏହା ମଧ୍ୟ ପଢନ୍ତୁ: ସାଂସଦ ଅପରାଜିତାଙ୍କୁ ଚେକ୍ ଦେବାକୁ ଗୋଟିଚାଳନା, ଶ୍ରୀମୟୀଙ୍କ ଗାଁ ଗାଁରେ ପଦଯାତ୍ରା
ରାଜ୍ୟ ବିଜେପି ମୁଖପାତ୍ର ଦୀଲ୍ଲିପ ମଲ୍ଲିକ କହିଛନ୍ତି, "ମହିଳା ସାଂସଦଙ୍କୁ ବିରୋଧ ସମ୍ପୂର୍ଣ୍ଣ ଭାବେ ଶାସକ ବିଜୁ ଜନତା ଦଳ ଦ୍ବାରା ପ୍ରାୟୋଜିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତାରେ ଶାସକ ବିଜେଡି ଅସହିଷ୍ଣୁ ଓ ଭୟଭୀତ ହୋଇପଡ଼ିଛି । ବିଜେପି ଲୋକ ପ୍ରତିନିଧିମାନଙ୍କୁ ଅଯଥାରେ ବିରୋଧ କରିବା ସହ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି ବିଜେଡି । ଶାସକ ଦଳ ଏଭଳି ହୀନ କାର୍ଯ୍ୟରୁ ନିବୃତ୍ତ ରହୁ । ବିରୋଧୀଙ୍କୁ ଦମନ କରିବାର ଅପଚେଷ୍ଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେଡି ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ।"
ଇଟିଭି ଭାରତ, ଭୁବନେଶ୍ବର