ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି । ତେଣୁ ବିଗତ ୨୪ ଘଣ୍ଟା ଧରି ପାଗ ଶୁଖିଲା ରହିବା ସହ ଓଡ଼ିଶାର କିଛି କିଛି ସ୍ଥାନରେ କେବଳ ସ୍ୱଳ୍ପ ବୃଷ୍ଟିପାତ ଦେଖିବାକୁ ମିଳିଛି । ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଜି ଓ ଆସନ୍ତାକାଲି ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ଏଭଳି ପାଗ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପୁଣି ସେପ୍ଟେମ୍ବର ୧ ତାରିଖ ବେଳକୁ ବଢିବ ବର୍ଷାର ପରିମାଣ । ଏହାସହ ଅଗଷ୍ଟ ମାସ ୩୧ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ରାଜ୍ୟର କେତେକ ସ୍ଥାନରେ ହୋଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପଟେ ରାଜ୍ୟର ଗୋଟିଏ କିମ୍ବା 2ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ତେନ୍ତୁଳୀଖୁଣ୍ଟିରେ ସର୍ବାଧିକ ୨୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲାର ଜୟପୁରରେ ୧୮ .୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ସେପଟେ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ୮୮୪ .୨ ମିଲିମିଟର ସ୍ୱାଭାବିକ ବର୍ଷା ରହିଥିବାବେଳେ ରାଜ୍ୟରେ ୭୮୨ .୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୧୧ ପ୍ରତିଶତ କମ୍ ରହିଛି । କେବଳ ବୌଦ୍ଧ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଜଣା ପଡ଼ିଛି । ଏହାସହ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ସେହିପରି ୧୧ ଜିଲ୍ଲାରେ ସ୍ୱାଭାବିକଠାରୁ କମ ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ତେବେ ପାଣିପଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନାହିଁ । ସେହିପରି ଅଗଷ୍ଟ ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା 31 ତାରିଖ ପରେ ପୁଣି ଥରେ ବର୍ଷାର ପରିମାଣ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଁ ଭା କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଥିବାବେଳେ ବର୍ତ୍ତମାନ ଧୀରେଧୀରେ ପାଗରେ ପରିବର୍ତ୍ତନ ହେବାର ଆକଳନ କରାଯାଇଛି । ଆସନ୍ତା 3 ଦିନ ଯାଏଁ ପାଗ ଶୁଖିଲା ରହିବା ନେଇ ଆକଳନ କରାଯାଇଥିବାବେଳେ 31 ତାରିଖ ପରେ ପୁଣି ବର୍ଷା ହୋଇପାରେ ।
ଇଟିଭି ଭାରତ, ଭୁବନେଶ୍ବର