ଭୁବନେଶ୍ବର: ବାବା ଆସିଲେ, ବିଭୂତି ବି ଦେଲେ। କିନ୍ତୁ ମନସ୍କାମନା ପୂରଣ କରିବା ପରିବର୍ତ୍ତେ ମନଭରି ଲୁଟିନେଲେ। ଏଭଳି ଏକ ଅଭିନବ ଉପାୟରେ ଲୁଟ୍ ଘଟିଛି ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ।
ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଫେଜ୍ ୨ରେ ସମରେନ୍ଦ୍ର ସାହୁଙ୍କ ଅଫିସ। ସନ୍ଧ୍ୟା ସମୟରେ ସମରେନ୍ଦ୍ର ଅଫିସରେ ଥିବା ବେଳେ ଦୁଇ ଜଣ ବାବା ବେଶରେ ଆସି ଅଫିସରେ ପହଞ୍ଚିଥିଲେ। ହରିଦ୍ବାରରୁ ଆସିଛନ୍ତି କହି ସମରେନ୍ଦ୍ରଙ୍କ ସହ କଥା ମଧ୍ୟ ହେଉଥିଲେ। ଆଉ ମନସ୍କାମନା ପୂରଣ କରିବା ପାଇଁ କଥା ଛଳନାରେ ତାଙ୍କ ଉପରକୁ ବିଭୂତି ପକାଇଦେଇଥିଲେ। ଫଳରେ ସମରେନ୍ଦ୍ର ଚେତାଶୂନ୍ୟ ହୋଇଯାଇଥିଲେ। ଚେତା ଫେରିବା ପରେ ଦେଖନ୍ତି ତ ଡ୍ର ରେ ଥିବା 34 ହଜାର ଟଙ୍କା ଓ ହାତରେ ଥିବା ସୁନା ମୁଦି ଆଦି ନଥିଲା । ଦୁଇ ବାବା ମଧ୍ୟ ପାଖରେ ନଥିଲେ ।
ତୁରନ୍ତ ଏହି ଘଟଣା ବିଷୟରେ ସମରେନ୍ଦ୍ର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ୍ କରିଥିଲା ଓ ଲୁଟ୍ ହୋଇଛି ବୋଲି ଘଟଣାର ସତ୍ୟତା ସିସିଟିଭିରୁ ଜାଣିବାକୁ ପାଇଛି ପୋଲିସ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏପରି ଲୁଟ୍ ହେବା ପରେ ଏକ ପ୍ରକାରର ଭୟର ବାତାବରଣ ଦେଖା ଦେଇଛି। ଖୁବ ଶୀଘ୍ର ସିସିଟିଭି ଆଧାରରେ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ