ଖୋର୍ଦ୍ଧା: ଦିନେ ମାଣ୍ଡିଆ ଥିଲା ଗରିବଙ୍କ ଖାଦ୍ୟ ଆଉ ଆଜି ଖାଲି ଗରିବ ଶ୍ରେଣୀ ନୁହେଁ, ଧନୀ ବର୍ଗର ଲୋକେ ମଧ୍ୟ ମାଣ୍ଡିଆ ଖାଇବାକୁ ପ୍ରାଧାନ୍ୟ ଦେଉଛନ୍ତି । ଏପରିକି ଡାକ୍ତର ମଧ୍ୟ ରୋଗୀଙ୍କୁ ମାଣ୍ଡିଆ ଖାଇବାକୁ ପରାମର୍ଶ ଦେଇଥାନ୍ତି । କାରଣ ମାଣ୍ଡିଆରେ ରହିଛି ଭରପୁର ଭିଟାମିନ୍ ଆଉ ମିନେରାଲ । ଏହାକୁ ଖାଇବା ଦ୍ବାରା ବହୁ ରୋଗରୁ ବି ଆଶ୍ବସ୍ତି ମିଳେ । ତେଣୁ ବର୍ତ୍ତମାନ ସମୟରେ ଏହାର ଚାହିଦା ବଢିବାରେ ଲାଗିଥିବା ଦେଖିବାକୁ ମିଳିଛି । ତେବେ ମିଲେଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମିଲେଟ ମିଶନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ମିଶନ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ବ୍ଲକରେ ପରୀକ୍ଷା ମୂଳକ ଭାବେ ମିଲେଟ ଚାଷ ଆରମ୍ଭ ହେବା ନେଇ କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।
ଚଳିତ ଖରିଫ ଋତୁରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଏବଂ ବାଣପୁର ବ୍ଲକର 450 ହେକ୍ଟର ଚାଷ ଜମିରେ ଏହି ମିଲେଟ ଚାଷ ହେବ । ଏଥିପାଇଁ 350 ହେକ୍ଟର ଜମିରେ ମାଣ୍ଡିଆ,50 ହେକ୍ଟର ଜମିରେ ବାଜରା ଏବଂ 50 ହେକ୍ଟର ଜମିରେ ସରଗମ ଚାଷ ପାଇଁ ସମସ୍ତ ପ୍ରସ୍ତୁତି ସାରିଛି କୃଷି ବିଭାଗ । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ଅଞ୍ଚଳରେ ଜଳସେଚନର ସୁବିଧା ନଥିବାରୁ ବର୍ଷା ଜଳ ଉପରେ ନିର୍ଭର କରି ଧାନ ଫସଲ କରିଥାନ୍ତି ଚାଷୀ । କିନ୍ତୁ ଏହି ମିଲେଟ ଚାଷ ପାଇଁ କମ୍ ପାଣି ଓ ସାର ଆବଶ୍ୟକ ପଡିଥାଏ । ସେହିପରି ଏହି ଫସଲରେ ରୋଗପୋକ ମଧ୍ୟ କମ୍ ଲାଗିଥାନ୍ତି ତେଣୁ ଏହା ଏକ ଲାଭଦାୟକ ଫସଲ । ମିଲେଟ୍ ଚାଷ କରିବା ଦ୍ବାରା ଖୁବ କମ୍ ଖର୍ଚ୍ଚରେ ଚାଷୀ ଅଧିକ ଲାଭବାନ ହୋଇପାରିବ ବୋଲି ଖୋର୍ଦ୍ଧା ଜିଲା କୃଷି ଅଧିକାରୀ କହିଛନ୍ତି ।
ଧାନ ଫସଲରୁ ଚାଷୀ କମ୍ ଲାଭ ପାଉଥିବା ବେଳେ ମାଣ୍ଡିଆ, ବାଜରା ଓ ସରଗମ ଆଦି ଚାଷ କରି ଖୋର୍ଦ୍ଧା ଚାଷୀ ଲାଭବାନ ହୋଇପାରିବେ । ଏଥିପାଇଁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ ସହ ସେମାନଙ୍କୁ ବିହନ ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେଇଛି । ସେହିପରି ଅମଳ ପରେ ଯେପରି ଚାଷୀ ସମସ୍ୟାରେ ନପଡିବ ସେଥିପାଇଁ ରାଜ୍ୟ ସରକାରଙ୍କ ମିଲେଟ୍ ମିଶନ ଏହାକୁ ଉଚିତ ମୂଲ୍ୟରେ କିଣିବା ପାଇଁ ବ୍ୟବସ୍ଥା କରିଛି । ଧାନ ଫସଲ ତୁଳନାରେ ଏହା ଚାଷୀଙ୍କୁ ଅଧିକ ଲାଭ ପ୍ରଦାନ କରିବ । 1 ଏକର ଜମିରୁ 5 ରୁ 7 କ୍ବିଣ୍ଟାଲ ଫସଲ ଅମଳ ହେବ । ଧୀରେ ଧୀରେ ଏହି ଚାଷକୁ ପର୍ଯ୍ୟାୟ କ୍ରମେ ସମସ୍ତ ବ୍ଲକରେ ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲା କୃଷି ଅଧିକାରୀ ଶରତ କୁମାର ପରିଡା ।
ଇଟିଭି ଭାରତ, ଖୋର୍ଦ୍ଧା