ଭୁବନେଶ୍ବର : ଭୁବନେଶ୍ୱର ମହାନଗର ନିଗମକୁ ସୁନ୍ଦର କରିବା ପାଇଁ ବିଏମସିର ପ୍ରୟାସ ଜାରି ରହିଛି । ଏହି ପ୍ରୟାସକୁ ନେଇ ରାସ୍ତାଘାଟଠାରୁ ଆରମ୍ଭ କରି ପାର୍କ ସୌନ୍ଦର୍ଯ୍ୟକରଣ ପର୍ଯ୍ୟନ୍ତ କାମ ବିଏମସି ହାତକୁ ନେଇଛି । ବିଶେଷ କରି ଛକ ଜାଗାଗୁଡିକର ସୌନ୍ଦର୍ଯ୍ୟକରଣ ବେଶୀ ପ୍ରାଧାନ୍ୟ ଦିଆଯାଉଛି । ଏହି କ୍ରମରେ ମାଷ୍ଟର କ୍ୟାଣ୍ଟିନ୍ ଛକର ସୌନ୍ଦର୍ଯ୍ୟକରଣ କରାଯାଇଛି । ଭୁବନେଶ୍ୱରର ମୁଖଶାଳା କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ଭର୍ଟିକାଲ ଗାର୍ଡେନ ସହ ୱାଟର ଫାଉଣ୍ଟେନ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୪୫ ଲକ୍ଷ ଟଙ୍କା ।
ତେବେ ଏହି ବର୍ଷ ମୁକ୍ତା ଯୋଜନା ମାଧ୍ୟମରେ ସହରର ୧୦ ଟି ସ୍ଥାନକୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ଯାହାକି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଛି । ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମାଷ୍ଟର କ୍ୟାଣ୍ଟିନ ଏବେ ସେଲ୍ଫି ପଏଣ୍ଟ । ରାଜ୍ୟର ପ୍ରଥମ ଗ୍ରୀନୱାଲର ଠିକଣା ମାଷ୍ଟର କ୍ୟାଣ୍ଟିନ ଛକ ରେଳଷ୍ଟେସନ ନିକଟରେ ହୋଇଥିବାରୁ ଏହା ରାଜ୍ୟ ତଥା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଓଡ଼ିଶା ସରକାରଙ୍କର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ‘ମୁକ୍ତା’ ଯୋଜନା ସହରକୁ ସଜେଇ ଚାଲିଥିବା ବେଳେ ଏହାର ସୌନ୍ଦର୍ଯ୍ୟ ଓ ସବୁଜୀକରଣ ଯୋଡି ହୋଇ ଚାଲିଛି ।
ଏହା ମଧ୍ୟ ପଢନ୍ତୁ- ଗୋଲାପୀ ରଙ୍ଗରେ ରଙ୍ଗୀନ ହେବ ବଡ଼ଦାଣ୍ଡ, ନୂଆବର୍ଷରୁ ସବୁ କୋଠାକୁ କରାଯିବ ସୌନ୍ଦର୍ଯ୍ୟକରଣ!
ଆଧୁନିକତା ଭଙ୍ଗୀରେ ମାଷ୍ଟର କ୍ୟାଣ୍ଟନ ଛକର ସବୁଜ ପ୍ରାଚୀର ସାଙ୍ଗକୁ ଆଲୋକୀକରଣ ସବୁଜ ସୌନ୍ଦର୍ଯ୍ୟର ଏକ ପ୍ରତୀକ ଭାବେ ଉଭା ହୋଇଛି । ଯାହା ଏହି ରାସ୍ତା ଦେଇ ଯାଉଥିବା ଯୁବକ, ଯୁବତୀ, ଶିଶୁ, କିଶୋର ଏପରିକି ବୃଦ୍ଧ ବୃଦ୍ଧାଙ୍କ ସେଲ୍ଫି ପଏଣ୍ଟ ପାଲଟିଛି । ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅନୁଧ୍ୟାନ କରିବା ପାଇଁ ମେୟର ସୁଲୋଚନା ଦାସଙ୍କ ସହ ଡେପୁଟି ମେୟର ମଞ୍ଜୁଲତା କହଁର, ଷ୍ଟାଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଅମରେଶ ଜେନା, ପ୍ରୀତିନନ୍ଦା ରାଉତଙ୍କ ସହ ସ୍ଥାନୀୟ କର୍ପୋରେଟର ଆସିଆ ବେଗମ୍ ପ୍ରମୁଖ ଉପସ୍ଥିତ ଥିଲେ । ଏସ୍ଏଚ୍ଜି ମାଆମାନଙ୍କର ବିଭିନ୍ନ କାମ ଆମ ସହରର ସ୍ୱତନ୍ତ୍ର ପରିଚୟ ଆଣି ଦେଇଛି । ଭୁବନେଶ୍ୱର ମୁଖଶାଳାର ଏହି ନୂଆ ପ୍ରତିଛବି ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟନ ସୌନ୍ଦର୍ଯ୍ୟକରଣରୁ ସହଜରେ ଜାଣି ହେଉଛି ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର