ଭୁବନେଶ୍ବର: ଗ୍ରାହାକ ଅର୍ଡର କରୁଥିଲେ ନାମି ଦାମି ଜିନିଷ । ହେଲେ ଘରେ ପହଞ୍ଚୁଥିଲା ଖାଲି ପାର୍ସଲ ଖୋଳ । ଏଭଳି ଜିନିଷ ଚାଲାକିରେ ଚୋରି କରି ଗାଏବ କରୁଥିଲେ କଣ୍ଟାବାଡ଼ ନିକଟସ୍ଥ ଏକ ଅନ୍ଲାଇନ୍ ପାର୍ସଲ କମ୍ପାନିର କର୍ମଚାରୀ । ଏନେଇ ଆଜି ଚନ୍ଦକା ଥାନା ପୋଲିସ କମ୍ପାନୀର ୫ କର୍ମଚାରୀଙ୍କୁ ଗିରଫ କରିଛି । ସେମାନେ ହେଲେ କଟକର ଦୀପକ କୁମାର ପରିଡା ଓ ସରୋଜ ନନ୍ଦ ସେହିପରି ପୁରୀ ବ୍ରହ୍ମଗିରି ଓ ଗୋପର ରାଜା ନାୟକ ,ପ୍ରକାଶ ଚନ୍ଦ୍ର ନାୟକ ,ପବିତ୍ର ମୋହନ ଦାସ । ସେମାନଙ୍କ ନିକଟରୁ କମ୍ପାନୀରୁ ଲୁଟ୍ ହୋଇଥିବା ୧୪ ଦାମୀ ମୋବାଇଲ୍, ୨ଟି ଲାପ୍ଟପ୍ ଓ ବିପୁଳ ପୋଷାକପତ୍ର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୪ରୁ ସାଢ଼େ ଚାରି ଲକ୍ଷ ଟଙ୍କା ।
ପୋଲିସର ସୂଚନା ଅନୁସାରେ, SLP & QA Busy bees Logistic Solution Pvt. Ltd ସଂସ୍ଥାର ନିର୍ବାହୀ ଅଧିକାରୀ ଏହି ଚୋରି ନେଇ ଲିଖିତ ଅଭିଯୋଗ କରିଥିଲେ । କମ୍ପାନୀକୁ ଆସୁଥିବା ପାର୍ସଲଗୁଡ଼ିକୁ ଡେଲିଭରି କରିବା ପୂର୍ବରୁ ଅଭିଯୁକ୍ତମାନେ ଲୁଟି ନେଉଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଗାଡ଼ି ଚାଳକ ଥିବା ବେଳେ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ଅଛନ୍ତି। ସେହିଭଳି ଅନ୍ୟମାନେ କମ୍ପାନୀର ଷ୍ଟୋର୍ ରୁମ୍ରେ କାମ କରୁଥିଲେ। ପାର୍ସଲଗୁଡ଼ିକରୁ ଦାମୀ ସାମଗ୍ରୀ ବାହାର କରିବା ପରେ ସେଥିରେ ଷ୍ଟିକର୍ ଲଗାଇ ଷ୍ଟୋର୍ରେ ରଖିଦିଅନ୍ତି। ସେମାନେ ପ୍ରାୟ ବର୍ଷକ ପୂର୍ବରୁ ଏଭଳି କାଣ୍ଡ କରି ଆସୁଥିଲେ। ନିର୍ବାହୀ ଅଧିକାରୀ କମ୍ପାନିର କିଛି କର୍ମଚାରୀଙ୍କ ଉପରେ ସନ୍ଦେହ କରି ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଠାବ କରିଥିଲା।
ଏହା ମଧ୍ୟ ପଢନ୍ତୁ- ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲା, ୩ ଅଭିଯୁକ୍ତ ଗିରଫ
ପ୍ରକାଶ ଥାଉକି, ଗତ ମାସରେ ବୌଦ୍ଧରେ ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । କଣ୍ଟାମାଳ ଓ ବାଉଁଶୁଣି ଥାନାରେ ଅଭିଯୋଗ ପରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ତିନି ଜଣ ଫ୍ଲିପ୍କାର୍ଟର କମ୍ପାନୀର ବିଭିନ୍ନ ଡିଷ୍ଟ୍ରିବ୍ୟୁସନ ପଏଣ୍ଟର ହବ୍ ଇନ୍ଚାର୍ଜ ଭାବରେ କାମ କରୁଥିଲେ । କ୍ୟାସ୍ ଅନ୍ ଡେଲିଭରି ଭାବରେ ଆସୁଥିବା ସାମଗ୍ରୀରୁ ସଂଗୃହିତ ହେଉଥିବା ଅର୍ଥରାଶି କମ୍ପାନିକୁ ନପଠାଇ ନିଜେ ହଡ଼ପ କରୁଥିଲେ । ଏଥି ସହିତ ନିଜେ କମ୍ପାନୀ ପାଖରୁ ଜିନିଷ ଅର୍ଡର୍ କରି ସେଗୁଡ଼ିକୁ ବିକ୍ରି କରି ଦେଉଥିଲେ । ଏନେଇ କମ୍ପାନୀ ପକ୍ଷରୁ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାରେ ୨୮ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ କେସ ନଂ ୮୫/୨୩ ମାମଲା ରୁଜୁ ହୋଇଥିଲା । ଏନେଇ ବୌଦ୍ଧ ପୋଲିସ ଏକ ଟିମନ ଗଠନ କରି ଅଭିଯୁକ୍ତଙ୍କ ଫୋନ ଟ୍ରାକିଂ କରୁଥିଲା । ଶେଷରେ ପୋଲିସ ଉକ୍ତ ୩ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା ।
ଇଟିଭି ଭାରତ, ଭୁବନେଶ୍ବର