ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ଅନୁଷ୍ଠିତ ହୋଇଛି ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ । ମହିଳା ସଂଗଠନକୁ ମଜବୁତ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମରେ ଭିସି ଜରିଆରେ ଯୋଡି ହୋଇ ମହିଳାଙ୍କୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର । ଗତ ନିର୍ବାଚନ ଓ କୋଭିଡ ସମୟରେ ମା' ମାନେ କରିଥିବା କାମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ନବୀନ । ମହିଳା ସଂଗଠନ ମଜବୁତ ପାଇଁ ୱାର୍ଡ ଠାରୁ ବ୍ଲକ କମିଟି ଗଢ଼ିବ ମହିଳା ବିଜୁ ଜନତା ଦଳ । ମହିଳା ସଂରକ୍ଷଣ ବିଲକୁ ନେଇ ଗାଁଠୁ ସଂସଦ ଲଢ଼ିବ ବିଜେଡି । ସେହିପରି ଓଡ଼ିଶା ପ୍ରତି ଅବିଚାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ମହିଳା ବିଜେଡି । ମା'ମାନେ ଗାଁର ଦାୟିତ୍ବ ନେଥିବାବେଳେ ମିଶନ ଶକ୍ତି ମା'ଙ୍କ ଶକ୍ତି କେନ୍ଦ୍ର ହୋଇଛି ।
ଏହାବି ପଢନ୍ତୁ- ମହିଳା ବିଜେଡି କାର୍ଯ୍ୟକାରିଣୀ ତାଲିକାରେ ମୃତ ନେତ୍ରୀ, ବିଜେପି କହିଲା ହାସ୍ୟାସ୍ପଦ
ଶଙ୍ଖ ଭବନରେ ଆଜି ଆୟୋଜିତ ହୋଇଛି ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ମନ୍ତ୍ରୀ, ସାଂସଦ, ବିଧାୟିକାଙ୍କ ସମେତ ଦଳର ବହୁ ବରିଷ୍ଠ ନେତ୍ରୀ ସାମିଲ ହୋଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେଠାରୁ ମହିଳା ସଂଗଠନକୁ କିଭଳି ଅଧିକ ମଜବୁତ କରାଯିବ ସେନେଇ ପ୍ରସ୍ତୁତ ହୋଇଛି ଖସଡ଼ା । ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ଆହୁରି ମଜବୁତ ଏବଂ ସଶକ୍ତ କରିବା ପାଇଁ ସମସ୍ତଙ୍କୁ ନେଇ ଏକ ବ୍ୟାପକ ଆଲୋଚନା ହୋଇଛି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ, ସାଂସଦ, ବିଧାୟିକା ପ୍ରମୁଖ ଅଭିଭାଷଣ ରଖିଛନ୍ତି ।
ଭିସି ଜରିଆରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ମହିଳା ସଶକ୍ତିକରଣ ମୋ ହୃଦୟର ନିକଟତର । ମୁଁ ସବୁବେଳେ କହି ଆସିଛି ଏବଂ ଏହା ମୋର ଦୃଢ ବିଶ୍ବାସ ଯେ ମା' ମାନଙ୍କ ସଶକ୍ତିକରଣ ବିନା କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ କେବେ ଆଗକୁ ଯାଇ ପାରିବ ନାହିଁ । ମହିଳା ସଶକ୍ତିକରଣ ଆମ ପାଇଁ ଏକ ସ୍ଲୋଗାନ ନୂହେଁ । ଏହା ଆମ ପ୍ରଗତିର ମନ୍ତ୍ର । ଖୁସିର କଥା, ଆଜି ଆମ ଓଡ଼ିଶାର ମା ମାନେ ସଶକ୍ତ ହେଇଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ଦୃଶ୍ୟମାନ ହୋଇଛି । ସେମାନେ ଏବେ ଓଡ଼ିଶାର ବିକାଶରେ ସମ ଭାଗୀଦାର । ମା'ମାନେ ଏବେ ଗାଁ ଗାଁରେ ନେତୃତ୍ୱ ନେଇଛନ୍ତି । ପଞ୍ଚାୟତରେ ବିକାଶ କଥା ମଧ୍ୟ ବୁଝୁଛନ୍ତି । ମିଶନ ଶକ୍ତି ଆଜି ମା'ମାନଙ୍କର ଶକ୍ତି କେନ୍ଦ୍ର ହୋଇପାରିଛି ।
ଧାନ ସଂଗ୍ରହ ହେଉ ବା ସହରରେ ଆହାର ସେଣ୍ଟର ପରିଚାଳନା, ବିଦ୍ୟୁତ ମିଟର ରିଡିଙ୍ଗ, ଜଳ ସାଥୀ ବା ୫ଟି ରେ ରୂପାନ୍ତର ହୋଇଥିବା ସ୍କୁଲ ଗୁଡିକର ଦେଖା ରଖା ସବୁ ଦାୟିତ୍ଵ ମା ମାନେ ବହୁତ ଭଲ ଭାବରେ ବୁଝୁଛନ୍ତି । ଗାଁ ପୋଖରୀରେ ମାଛ ଚାଷ କରୁଛନ୍ତି । ସହରର ଜଳ ପ୍ରକଳ୍ପର ଉନ୍ନୟନ କାମ କରୁଛନ୍ତି । ମିଶନ ଶକ୍ତି କାଫେ ଏବେ ସାରା ରାଜ୍ୟରେ ନିଉଟ୍ରିସନର ବାର୍ତ୍ତା ଦେଉଛି । ସବୁ ଭଲ କାମରେ ମା ମାନେ ଆଗରେ ଅଛନ୍ତି । ମା'ଙ୍କୁ ଗତବର୍ଷ 11 ହଜାର କୋଟି ଟଙ୍କାର ଋଣ ଦିଆଯାଇଛି । 250 କୋଟିରୁ ଅଧିକ ଟଙ୍କାର ସୁଧ ପ୍ରଦାନ କରାଯାଇଛି । ଏବେ ମା'ଙ୍କ ଯୋଗାଯୋଗ ସୁବିଧା ପାଇଁ ଆମେ ସ୍କୁଟର ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ । ମା'ଙ୍କ mobility ବିକାଶରେ ଆହୁରି ଶକ୍ତି ଆଣିବ ।
ମିଶନ ଶକ୍ତିକୁ ଏବେ ଆମେ ଆଉ ଏକ ସ୍ତରକୁ ନେବା ପାଇଁ କାମ ଅରମ୍ଭ କରିଛୁ । ମା'ଙ୍କୁ ଶିଳ୍ପପତି କରିବା ପାଇଁ କାମ ଆରମ୍ଭ କରିଛୁ । ମହିଳା ଅଧିକାରୀ ଏକ ଗୁରୁତ୍ୱପୂର୍ଣ୍ଣ କଥା । ତୃଣମୂଳସ୍ତରରୁ ମହିଳାଙ୍କ ବିକାଶ ହେବ । ସଂସଦ ଓ ବିଧାନସଭାରେ ଏକତୃତୀୟାଂଶ ସଂରକ୍ଷଣ ପାଇଁ ଦାବି ଜୋରଦାର କରିବାକୁ ପଡିବ । ବିଜୁ ଜନତା ଦଳ ମହିଳା ଅଧିକାର ପାଇଁ ଗାଁ'ରୁ ସଂସଦ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିବ ।
ମହିଳା ବିଜେଡି ପକ୍ଷରୁ କୁହାଯାଇଛି ଯେ, ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାବାସୀଙ୍କ ସେବା କରୁଛନ୍ତି । ୨୩ ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଅନେକ ଆଶୀର୍ବାଦ ଦେଇଛନ୍ତି । ଏହାକୁ ପାଥେୟ କରି ବିଭିନ୍ନ ଉନ୍ନତି ମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବ ବିଜୁ ମହିଳା ଜନତା ଦଳ । କାର୍ଯ୍ୟକାରିଣୀରେ 22 ଟି ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି ବିଜୁ ମହିଳା ଜନତା ଦଳ । ସଂଗଠନ ମଜବୁତ ପାଇଁ ୱାର୍ଡ କମିଟି ଓ ପଂଚାୟତ କମିଟି ଏବଂ ବ୍ଲକ କମିଟି ଗଠନ କରାଯିବ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଚାଷୀଙ୍କ ଆୟ ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ରେଳବାଇ ଅବହେଳା, କେନ୍ଦ୍ର ଅନୁଦାନ କାଟ, ମହିଳା ବିଲ ଆଣିବାରେ ପଛଘୁଞ୍ଚା, ଓଡ଼ିଶା ପ୍ରତି ଅବିଚାରକୁ ନିନ୍ଦା କରି ଆଗାମୀ ଦିନରେ କେନ୍ଦ୍ର ସରକାର ବିରୁଦ୍ଧରେ ରାଜରାସ୍ତାରେ ସଂଗ୍ରାମ କରିବ ମହିଳା ବିଜେଡି ।
ଇଟିଭି ଭାରତ, ଭୁବନେଶ୍ବର