ଭୁବନେଶ୍ବର: ଓଡିଶା ଚିତ୍ରକଳା ଜଗତ ପାଇଁ ଏକ ଦୁଃଖଦ ଦିବସ । ପଞ୍ଚଭୂତରେ ଲୀନ ହେଲେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର । ତାଙ୍କ ପରଲୋକକୁ ନେଇ ସମଗ୍ର ରାଜ୍ୟରେ ଶୋକର ବାଦଲ ଖେଳିଯାଇଥିଲା । ଚିତ୍ରକଳା ଜଗତରେ ଏକ ଦୀପ୍ତିମାନ ସୂର୍ଯ୍ୟ ଲିଭିଯାଇଛି । ଏକ ଛୋଟ ଦୁର୍ଘଟଣାରେ ଆହତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସା ହେବା ପରେ ଆଜି ୮୩ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ବନ୍ଧୁ ପରିଜନଙ୍କ ଉପସ୍ଥିତି ରହିଥିବା ବେଳେ ପୁତ୍ର ସିଦ୍ଧାର୍ଥ ମୁଖଗ୍ନୀ ଦେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ଚିତ୍ର କଳା ଜଗତରେ ଏକ ଯୁଗର ଅବସାନ ଘଟିଛି ।
ତେବେ ତାଙ୍କ ବିଷୟରେ କହିବାକୁ ଗଲେ ପଦ୍ମନାଭ ମିଶ୍ର ସ୍ୱାଧୀନତା ପୂର୍ବ ୧୯୪୦ରେ ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ହାଇସ୍କୁଲ ଶିକ୍ଷା ଗ୍ରହଣ ପରେ ସରକାରୀ ଚାକିରି କରିଥିଲେ । କିନ୍ତୁ ନିଜ ଭିତରେ ଥିବା ଚିତ୍ରକର ତାଙ୍କୁ ସରକାରୀ ଚାକିରିରେ ବାନ୍ଧି ରଖି ପାରି ନଥିଲା । ସରକାରୀ ଚାକିରିର ମୋହ ଭଙ୍ଗ କରି ଚିତ୍ରକଳା ଶିକ୍ଷା ଗ୍ରହଣ ପାଇଁ ଚାଲି ଯାଇଥିଲେ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ ଶାନ୍ତି ନିକେତନ । ସେଠାରୁ ଶିକ୍ଷାଲାଭ ପରେ ନିଜ ମାଟିକୁ ଫେରି ଆସି ଗଙ୍ଗାଧର ମହାବିଦ୍ୟାଳୟ ସମ୍ବଲପୁରରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଚିତ୍ରଶିଳ୍ପୀ ଭାବେ ଯୋଗଦାନ କରିଥିଲେ ।
ଚିତ୍ରଭୂମିର ପତିଷ୍ଠାତା: କର୍ମମୟ ଜୀବନର କିଛି ସମୟ ଅତବାହିତ ପରେ ନିଜ ଭିତର ଚିତ୍ରଶିଳ୍ପୀ ତାଙ୍କୁ ଆନ୍ଦୋଳିତ କରିଥିଲା । ଯାହାକୁ ନେଇ ସେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ "ଚିତ୍ରଭୂମି" ପ୍ରତିଷ୍ଠା କରିଥିଲେ । ଚିତ୍ରଭୂମିର ପତିଷ୍ଠାତା ଦ୍ଵାରା ଅନେକ ପ୍ରତିଭାଙ୍କୁ ନୂତନ ଦିଶା ମିଳିଛି । ଅନେକ ପ୍ରତିଭା ଉଚ୍ଚତାର ଶିଖରରେ ପହଞ୍ଚି ପାରିଛନ୍ତି ।
ବିଭିନ୍ନ ସମୟ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ ଯଥା ୟୁଥ୍ ଫୋରମ୍, ଭୂମିକା ବଲାଙ୍ଗୀର, ରୋଟରି ସମ୍ବଲପୁର ଓ ଆହୁରି ଅନେକ ଯଥା ସୂଚନା ଭବନରେ ତାଙ୍କ ଏକକ ପ୍ରଦର୍ଶନୀ "ଅନ୍ଧାର ଆଲୁଅ", "ମଧୁଶାଳା" ବହୁ ଲୋକ ଆଦୃତ। କେବଳ ସେ ଜଣେ ଚିତ୍ରଶିଳ୍ପୀ ନଥିଲେ ସେ ତବଲା ବାଦନରେ ସ୍ନାତକୋତ୍ତର ମଧ୍ୟ ଥିଲେ । ବହୁ ବର୍ଷ ଧରି ନିଜ ପୁତ୍ର ସିଦ୍ଧାର୍ଥଙ୍କ ସହ ଭୁବନେଶ୍ୱରରେ ରହୁଥିଲେ ।
ଇଟିଭି ଭାରତ, ଭୁବନେଶ୍ବର