ଖୋର୍ଦ୍ଧା : ସାରା ଓଡ଼ିଶାରେ ଥିବା ବିଭିନ୍ନ ପାଲା ମଞ୍ଚରେ ନିଜ କଳା ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ପାଲା ଗାୟକ ଗଗନ ବିହାରୀ ମହାପାତ୍ର ଚାମର ଛାଡ଼ି ପରିବାର ପୋଷଣ ପାଇଁ ଧରିଛନ୍ତି ଦଣ୍ଡିପାଲା । କୋରୋନା ମହାମାରୀ ଦ୍ବାରା ସବୁ ବର୍ଗର ଲୋକ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ପାଲା କଳାକାର ।
ରାସ୍ତା କଡରେ ଆଳୁ ପିଆଜ ବ୍ୟବସାୟ କରୁଥିବା ଏହି ବ୍ୟକ୍ତି ଜଣକ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି । ଓଡ଼ିଶାର ବିଦଗ୍ଧ କଳା ପାଲାର ଆଗ ଧାଡିର ଜଣେ ସୁନାମ ଧନ୍ୟ ଗାୟକ ଗଗନ ବିହାରୀ ମହାପାତ୍ର । ଓଡ଼ିଶାର ବିଭିନ୍ନ ପାଲା ମଞ୍ଚରେ ପାଲା ପରିବେଷଣ କରି ପ୍ରସିଦ୍ଧି ସାଉଁଟି ଥିବା ଏହି ଗାୟକ ଜଣକ ଗାୟକ ଲଳିତ,ଗାୟକ କୋକିଳ,ଗାୟକ ବାଣିକଣ୍ଠ,ଗାୟକ ପ୍ରଭା ଏବଂ ଗାୟକ ମଧୁକଣ୍ଠ ଭଳି ସମ୍ମାନର ଅଧିକାରୀ ହୋଇଛନ୍ତି । କିନ୍ତୁ ସମୟର ଚକ ଘୂରିବା କୋରୋନା ମହାମାରୀର ମାଡରେ ମାଡି ହୋଇପଡିଛି ବେଉସା ଆଉ ପରିବାର ପ୍ରତିପୋଷଣ ପାଇଁ ହାତରେ ଧରିଛନ୍ତି ଦଣ୍ଡିପଲା । ଦୀର୍ଘ 32 ବର୍ଷର ଗାୟକ ଜୀବନରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଷୟ ଚର୍ଚ୍ଚାରେ କୋରୋନା ପକାଇଛି ଯବନିକା । ନିଜର ଅନର୍ଗଳ ଭାଷା ସାହିତ୍ୟ ଓ ସଂସ୍କୃତିକୁ ରାଜ୍ୟର କୋଣ ଅନୁକୋଣରେ ପ୍ରଚାର ପ୍ରସାର କରାଉଥିବା ଏହି ପାଲା ଗାୟକଙ୍କ ପରିବାର ପ୍ରତିପୋଷଣରେ କୋରୋନା ମାଡ଼ ତାଙ୍କୁ ସଜେଇ ଦେଇଛି ପାରିବା ବ୍ୟବସୟୀ । ଏଭଳି କୋରୋନା ସମୟରେ ପ୍ରତିଷ୍ଠିତ କଳାକାର ମାନଙ୍କୁ ସରକାର ଦୃଷ୍ଟିକୁ ଆଣି ସହାୟତାର ହାତ ବଢ଼ାଇବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
ସରକାର କଳାକାରଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା ପାଇଁ କଳାକାର ଭତା ଠାରୁ ଆରମ୍ଭ କରି ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ଏ ସବୁ ସୁବିଧାରୁ ବଂଚିତ ହୋଇଛନ୍ତି ଗାୟକ ଗଗନ ବିହାରୀ । କେବଳ ଗାୟକ ଗଗନ ନୁହନ୍ତି ତାଙ୍କ ଭଳି ଅନେକ ପାଲା କଳାକାର ଏବେ କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଯେଭଳି କରୋନା ମହାମାରି ଏହିଭଳି ସୁପ୍ରସିଦ୍ଧ ଗାୟକ ମାନଙ୍କ କଣ୍ଠରୁ କଳାକାରିତା ଛଡାଇ ନନେଉ ଆଉ କଣ୍ଠରୋଧ ନକରୁ ସେଥିପାଇଁ ସରକାର ଦୃଷ୍ଟି ଦେବାର ସମୟ ଆସିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ