ଖୋର୍ଦ୍ଧା: ବାଲୁଗାଁ ଗଙ୍ଗନଗରରେ ଘରେ ପଶି ଛାତ୍ରୀଙ୍କ ଗଳା କାଟି ହତ୍ୟା ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତକଙ୍କ ଭାଉଜ ବୋଲି ପୋଲିସ ପ୍ରେସମିଟ ଜରିଆରେ ସୂଚନା ଦେଇଛି ।
ଏସପିଙ୍କ କହିବା ଅନୁସାରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୃତକଙ୍କ ଭାଉଜ କାବେରୀ । ତାଙ୍କର ଫିଙ୍ଗର ପ୍ରିଣ୍ଟ, ହତ୍ୟାରେ ବ୍ୟବହାର ହୋଇଥିବା ଛୁରୀ, ଶାଢୀରେ ଲାଗିଥିବା ରକ୍ତ ନମୂନାକୁ ପରୀକ୍ଷା କରାଯାଇଥିଲା । ଅଭିଯୁକ୍ତ କାବେରୀ ହତ୍ୟା କରିଥିବା ସ୍ପଷ୍ଟ ହେବା ପରେ ପୋଲିସ ଗିରଫ କରିଛି । ସେପଟେ ଅଭିଯୁକ୍ତ ଦୋଷ ସ୍ବୀକାର କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।
ସୂଚନା ଥାଉକି, ଶନିବାର ରାତିରେ ଶିବାନୀଙ୍କର ଗଳାକାଟି ହତ୍ୟା କରାଯାଇଥିଲା । ଏଥିରେ ଏକତରଫା ପ୍ରେମ ବୋଲି ପ୍ରଥମେ ପୋଲିସ ସନ୍ଦେହ କରୁଥିଲା । କିନ୍ତୁ ନଣନ୍ଦ ଭାଉଜ ବିବାଦରେ କ୍ରୋଧ ପରାୟଣ ହୋଇ ନଣନ୍ଦ ଶିବାନୀଙ୍କୁ ଗଳାକାଟି ହତ୍ୟା କରିଛି ଭାଉଜ । ପରେ ଏସପି ଏବଂ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ପରେ ଅସଲ ଘଟଣା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଅଭିଯୁକ୍ତ ଭାଉଜକୁ ଗିରଫ କରିଛି ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ