ଖୋର୍ଦ୍ଧା: ଦୁଇ ଦିନ ପରେ ଗଜାନନଙ୍କ ପୂଜା । ଏନେଇ ଉତ୍ସବ ମୁଖର ପୁରପଲ୍ଲୀ । ବିଘ୍ନ ବିନାଶକଙ୍କ ପୂଜା ପାଇଁ ପ୍ରସ୍ତୁତି ଜୋରଦାରରେ ଆଗେଇ ଚାଲିଛି । ଏନେଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପୂଜା କମିଟି ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନରେ ସବୁଠି ଏବେଠାରୁ ଉତ୍ସାହ ଦେଖା ଦେଲାଣି । କଟକଣା ପାଇଁ ଗତ ଦୁଇବର୍ଷ ପୂଜା ଫିକା ପଡିଯାଇଥିବା ବେଳେ ଚଳିତ ବର୍ଷ ଏହି ବର୍ଷ ପୂଜାକୁ ଟିକେ ନିଆରା ଢ଼ଙ୍ଗରେ ପାଳିବାକୁ ଯୁବପିଢ଼ିଙ୍କ ଭିତରେ ଏକ ପ୍ରକାରର ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଗଲାଣି ।
କିଏ କେଉଁ ପ୍ରକାର ମୂର୍ତ୍ତି ତିଆରି କରିବ ? ଗଣେଶ ମୂର୍ତ୍ତି କିପରି ଶ୍ରଦ୍ଧାଳୁଙ୍କ ଦୃଷ୍ଟିକୁ ଆକର୍ଷଣ କରିବ ସେ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ କାରିଗରମାନେ ମଧ୍ୟ ମୂର୍ତ୍ତି ତିଆରିରେ ମଧ୍ୟ ଲାଗି ପଡିଛନ୍ତି । ବିଶେଷକରି ମୂର୍ତ୍ତି ପାଇଁ କଞ୍ଚାମାଲର ଅଭାବ କାରିଗରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ମାଟିମୂର୍ତ୍ତି ତିଆରି ପାଇଁ ଅଧିକା ଟଙ୍କା ଖର୍ଚ୍ଚ ହେଉ ଥିବା ବେଳେ ଅଧିକ ସମୟ ଲାଗୁଛି । କିନ୍ତୁ ସେହି ଦରରେ ମୂର୍ତ୍ତି ବିକ୍ରି ହୋଇପାରୁ ନ ଥିବା ଅଭିଯୋଗ ହୋଇଛି । ମାଟି ମୂର୍ତ୍ତି ପାଇଁ ନଡା, ମାଟି, ବାଲି, ସୁତିଲି, ବାଉଁଶ, କାଠ ଓ ରଙ୍ଗର ଆବଶ୍ୟକତା ରହୁଛି ।
ଏହାବି ପଢନ୍ତୁ : ବିରାଜିବେ ଗଜାନନ, ୧୫ ଫୁଟର ମୂର୍ତ୍ତି ତିଆରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଯୁବଗୋଷ୍ଠୀ
ଯାହାର ଦର ପୂର୍ବ ଅପେକ୍ଷା ଏବେ ଢେର ଗୁଣା ବଢ଼ି ଯାଇଥିବା କହିଛନ୍ତି କାରିଗର । ଚଳିତ ବର୍ଷ କାରିଗରମାନେ ଭଲ ବ୍ୟବସାୟ ପାଇଁ ଆଶା ରଖିଥିବା ବେଳେ ଲୋକଙ୍କର ମଧ୍ୟ ମାଟି ମୂର୍ତ୍ତି ପ୍ରତି ଆଗ୍ରହ ବଢିଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ପରିବେଶ ପ୍ରଦୂଷଣ ରୋକିବା ପାଇଁ କାରିଗରମାନେ ମଧ୍ୟ ଇକୋ ଫ୍ରେଣ୍ତଲି ରଙ୍ଗ ମୂର୍ତ୍ତି ଗୁଡିକରେ ବ୍ୟବହାର କରୁଥିବା କହିଛନ୍ତି । ତେବେ ମାଟି ମୂର୍ତ୍ତି ଗୁଡିକର ଦାମ ତିନି ଶହରୁ ଆରମ୍ଭ କରି ୧୮ ହଜାର ମଧ୍ୟରେ ରହିଛି ।
ଇଟିଭି ଭାରତ,ଖୋର୍ଦ୍ଧା