ଖୋର୍ଦ୍ଧା: ଲାଲ ମାଟିର ଖୋର୍ଦ୍ଧା ଗଡ଼, ଯେଉଁ ଗଡ଼ର ପାଇକ ପୁଅ ଦିନେ ଇଂରେଜ ସୈନ୍ୟଙ୍କୁ ଧୂଳି ଚଟାଇଥିଲେ । ଆତ୍ମବଳି ଦେଇ ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ମୋଡ ଦେଇଥିଲେ । ସେଇ ସୁଯୋଗ୍ୟ ବୀର ପାଇକଙ୍କ ବୀର ଗାଥାକୁ ସାଇତି ରଖିବା ପାଇଁ ଖୋର୍ଦ୍ଧାର ସଂସ୍କୃତି ଭବନ ପରିସରରେ ସଂଗ୍ରହାଳୟ ନିର୍ମାଣ ହୋଇଥିଲା । ଯାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହି ଭୂତ କୋଠିର ଭ୍ରମ ସୃଷ୍ଟି କରୁଛି ।
ସେହିପରି ସଂଗ୍ରହାଳୟ ଚାରିପଟେ ଅନାବନା ଗଛ ଏହାକୁ ଢାଙ୍କି ରଖିଛି । ଭିତରେ ଲାଗିଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ ଉଇ ଖାଇ ନଷ୍ଟ କଲେଣି । କେବଳ ସେତିକି ନୁହେଁ, ଶହୀଦ ସ୍ମୃତି ସ୍ତମ୍ଭରେ ଗଛ ଉଠି ଫାଟି ଆଁ କଲାଣି । 2011 ମସିହାରେ ମୁଖ୍ୟମନ୍ତ୍ରୀ ଶହୀଦ ସ୍ମୃତି ସ୍ତମ୍ଭର ଉଦ୍ଘାଟନ କରିବା ସହ ଏହି ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ ପ୍ରାୟ 50 ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ସଂଗ୍ରହାଳୟ ଗୃହ ନିର୍ମାଣ ହୋଇଥିଲା । କିନ୍ତୁ ନିର୍ମାଣ ପରଠାରୁ ଏହା ବ୍ୟବହାର ନହୋଇ ଭୂତକୋଠି ପାଲଟିଛି । ତୁରନ୍ତ ଏହି ସଂଗ୍ରହାଳୟର ପୁନରୁଦ୍ଧାର କରିବା ପାଇଁ ଖୋର୍ଦ୍ଧାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ସେପଟେ ଖୋର୍ଦ୍ଧା ଜିଲାପାଳ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ତୁରନ୍ତ ସଂଗ୍ରହାଳୟର ପୁନରୁଦ୍ଧାର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ