ଖୋର୍ଦ୍ଧା: ଗଞ୍ଜାମ ଜିଲ୍ଲାରେ ଏକ ଘରୋଇ ମହାବିଦ୍ୟାଳୟରେ ରାଗିଂ ଘଟଣାରେ ବିଜେଡି ଛାତ୍ର ନେତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ଜିଲା ସଭାପତି ସୌମ୍ୟ ରଞ୍ଜନ ବରାଳଙ୍କ ନେତୃତ୍ବ ଏଠାରେ ଛାତ୍ର କଂଗ୍ରେସ କର୍ମୀ ଏକତ୍ରିତ ହୋଇଥିଲେ ।
ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ଛାତ୍ର କଂଗ୍ରେସ କର୍ମୀ ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲେ । ଦେଶରେ ସର୍ବାଧିକ ରାଗିଂ ଘଟଣା ଘଟୁଥିବା ରାଗିଂରେ ଓଡ଼ିଶା 4 ନମ୍ବରରେ ରହିଛି । ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ରହିଥିବା ବେଳେ ପଶ୍ଚିମ ବଙ୍ଗ ଦ୍ବିତୀୟ ସ୍ଥାନରେ ରହିଛି । ସେହିଭଳି ତୃତୀୟ ସ୍ଥାନରେ ମଧ୍ୟପ୍ରଦେଶ ରହିଛି ।
ତାମିଲନାଡୁ, ଆସାମ ଭଳି 7ଟି ରାଗିଂ ପ୍ରବଣ ରାଜ୍ୟରେ ରାଗିଂ ପ୍ରୋହିବିସନ ଆଇନ ପ୍ରଣୟନ ହୋଇଥିବା ବେଳେ ଓଡ଼ିଶାରେ ଏହି ଆଇନ ପ୍ରଣୟନ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ । ବିଶ୍ବବିଦ୍ୟାଳୟମାନଙ୍କରେ ଆଣ୍ଟି ରାଗିଂ ଟୋଲ୍ ଫ୍ରି ନମ୍ବର ଜାରି କରିବାକୁ ମଧ୍ୟ ଦାବି ହୋଇଛି । ତା ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଇସ୍ତଫା ଦାବି କରିଛି ଖୋର୍ଦ୍ଧା ଜିଲ୍ଲା ଛାତ୍ର କଂଗ୍ରେସ ।
ଇଟିଭି ଭାରତ, ଖୋର୍ଦ୍ଧା