ଖୋର୍ଦ୍ଧା: ଓଡ଼ିଆଙ୍କ ପାଇଁ ନିଆରା ପରିଚୟ ସୃଷ୍ଟି କରିଥିବା ଖୋର୍ଦ୍ଧା ଲୁଙ୍ଗି ଓ ଗାମୁଛାର ଚାହିଦା କମିବାରେ ଲାଗିଛି । ପୂର୍ବରୁ ଖୋର୍ଦ୍ଧା ଲୁଙ୍ଗି ଗାମୁଛା ଜାତୀୟ ଶିଳ୍ପର ମାନ୍ୟତା ପାଇଥିଲା । ହେଲେ ଏବେ ସମୟ ପରିବର୍ତ୍ତନ ହେବା ସହ ଏହି ହସ୍ତତନ୍ତର ଚାହିଦା କମିଛି । ଏଠାକାର ବୁଣାକାରମାନେ ଲୁଙ୍ଗିକୁ ଏମିତି ଭାବେ ପ୍ରସ୍ତୁତ କରିଥିଲେ ଯେ ତାହା ହାତକୁ ଯେତିକି କୋମଳ ସେତିକି ଚିକ୍କଣ ଲାଗୁଥିଲା । ସେହିପରି ଖୋର୍ଦ୍ଧା ଲାଲ ଗାମୁଛା ଓ ନୀଳ ଲୁଙ୍ଗି ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଯୁବକ ଓ କିଶୋରଙ୍କ ପ୍ରଥମ ପସନ୍ଦ ଥିଲା । କିନ୍ତୁ ଯଦିଓ ଏହାର ଚାହିଦା ଅଛି କିନ୍ତୁ ଅନ୍ୟମାନେ ଖୋର୍ଦ୍ଧା ଗାମୁଛା ନାଁରେ ବଜାରରେ ନକଲି ଗାମୁଛା ବିକ୍ରି ହେଉଛି । ଯେଉଁଥି ପାଇଁ ଏହାର ପୂର୍ବ ଭଳି ଗୁଣବତ୍ତା ନରହିବା ଫଳରେ ଲୋକେ ଖୋର୍ଦ୍ଧା ଗାମୁଛା ପରିବର୍ତ୍ତେ ଅନ୍ୟ ଗାମୁଛା ବ୍ୟବହାର କରୁଥିବା ଜଣାପଡ଼ିଛି ।
ଅନ୍ୟପଟେ ବୁଣାକାର କହିଛନ୍ତି,"କଞ୍ଚାମାଲ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଗାମୁଛା ଓ ଲୁଙ୍ଗି ପ୍ରସ୍ତୁତ କରୁଥିବା ବୁଣାକାରଙ୍କ ସଂଖ୍ୟା କମୁଛି । ବଜାରରୁ ଖୋର୍ଦ୍ଧା ଲୁଙ୍ଗି ହଜିଯାଇଥିବା ବେଳେ ଗାମୁଛା ଗୁଡ଼ିକ ଖତ ଖାଉଛି । ବୁଣାକାରମାନେ ନିଜ ବୃତ୍ତିରୁ ମୁହଁ ଫେରାଇ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି ।" ସୂଚନା ଅନୁସାରେ, ପ୍ରାୟ 70 ବର୍ଷ ପୂର୍ବେ ଖୋର୍ଦ୍ଧାରେ ଗାମୁଛା ପ୍ରସ୍ତୁତି ଆରମ୍ଭ ହୋଇଥିଲା । 1960 ମସିହାରେ ଏହାର ବହୁଳ ଚାହିଦା ବଢିଥିଲା । 1985 ମସିହାରେ କୃଷ୍ଣମୁରାରୀ ଶାହା ଏକ ତନ୍ତ କଳ ସ୍ଥାପନ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ କ୍ରମଶଃ ତନ୍ତବାୟ ସଂଖ୍ୟା ବୃଦ୍ଧି ପାଇଥିଲା । ସେହି ସମୟରେ ଖୋର୍ଦ୍ଧା ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ତନ୍ତବାୟ ସମବାୟ ସମିତି ମଧ୍ୟ ଥିଲା ।
ଏଥିରେ ଖୋର୍ଦ୍ଧା ଦଧିମାଛଗାଡ଼ିଆ, ବାଜପୁର, ଛତିପୁର, ଗୋଳବାଇ, ଗୋପୀନାଥପୁର, ଲହଙ୍ଗା, ସଢେଇଗଡ଼, ଶିଆଳିଆ, ଓଳସିଂହ, ସରପାରୀ ଏବଂ ବେଗୁନିଆ ବ୍ଳକର ତୁଳସୀପୁର ଭୋଗଡ଼ା, ରାଉତରାପଡ଼ା, ସାନପଦର, ପଦ୍ମପୁରପାଟଣା, ଖଡ଼ିପଦର, ପୋଡ଼ାଡ଼ିହ ପ୍ରମୁଖ ଗ୍ରାମର ହଜାର ହଜାର ବୁଣାକାର କାମ କରୁଥିଲେ । ସେ ସମୟରେ ସେମାନେ ଲୁଙ୍ଗି , ଗାମୁଛା ପ୍ରସ୍ତୁତ କରୁଥିଲେ । ଚାହିଦା ବୃଦ୍ଧି ହେବା ଫଳରେ ଉତ୍ପାଦନ କ୍ଷମତା ବଢାଇବା ସହ ଦେଶର କୋଣ ଅନୁକୋଣକୁ ରପ୍ତାନୀ କରୁଥିଲେ । ଦେଶର ବିଭିନ୍ନ ରାଜ୍ୟରେ ଖୋର୍ଦ୍ଧା ଲୁଙ୍ଗି ଓ ଗାମୁଛା ବହୁଳ ମାତ୍ରାରେ ବିକ୍ରି ହେଉଥିଲା । ଏହା ଓଡ଼ିଶା ପାଇଁ ଏକ ସ୍ଵତନ୍ତ୍ର ପରିଚୟ ଆଣିଦେଇଥିଲା ।
ଏହା ବି ପଢନ୍ତୁ...ପ୍ରାକୃତିକ ରଙ୍ଗ ଭରା ହସ୍ତତନ୍ତ ବସ୍ତ୍ର ହବ୍ ସାଜିବ କୋରାପୁଟ, ସ୍ବାବଲମ୍ବୀ ହେବେ ଆଦିବାସୀ ଯୁବତୀ
ହେଲେ ବର୍ତ୍ତମାନ ଯେଉଁ ହାତଗଣତି କେତେକ ତନ୍ତବାୟ ସମିତି ଚାଲିଛି ସେଠାରେ ଆଉ ପାରମ୍ପରିକ ଲୁଙ୍ଗି ଓ ଗାମୁଛା ପ୍ରସ୍ତୁତ ହେଉନାହିଁ । ମିଲ୍ ପ୍ରସ୍ତୁତ ଲୁଙ୍ଗି ଗାମୁଛା ବଜାରରେ ଅଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା ଏହାକୁ କିଣି ନେଉଛନ୍ତି ଲୋକେ। ସେହିପରି ଜିଲ୍ଲାରେ ପ୍ରାଥମିକ ତନ୍ତବାୟ ସଂଖ୍ୟା 32କୁ ଖସିଯାଇଥିବା ଜଣାପଡ଼ିଛି । ପୂର୍ବରୁ ହଜାର ହଜାର ବୁଣାକାର ହସ୍ତତନ୍ତ ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ସଂଖ୍ୟା 3 ହଜାର 91 ଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ପ୍ରାୟ 12ଟି ତନ୍ତବାୟ ସମିତି ରୁଗ୍ଣ ଅବସ୍ଥାରେ ପଡ଼ି ରହିଛି । ତେଣୁ ବେଳ ଥାଉ ଥାଉ ସରକାର ଯଦି ବୁଣାକାର ସମସ୍ୟା ପ୍ରତି ଆନ୍ତରିକତା ପ୍ରକାଶ ନକରନ୍ତି ତାହେଲେ ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ହୁଏତ ଆଉ ଦେଖିବାକୁ ମିଳିବନି ବୋଲି ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ଖୋର୍ଦ୍ଧା