ଖୋର୍ଦ୍ଧା: ଆଜି ପବିତ୍ର ମହାଶିବରାତ୍ରୀ । ଦିନ ସାରା ଉପବାସ ରହି ଭଗବାନ ଶିବଙ୍କ ପାଖରେ ଜାଗର ଦୀପ ଜାଳିବେ ଶ୍ରଦ୍ଧାଳୁ । ଶିବରାତ୍ରୀ ପାଇଁ ରାଜ୍ୟରେ ସମସ୍ତ ଶୈବପୀଠ ଚଳଚଞ୍ଚଳ ରହିଥିବାବେଳେ ଏହି ଅବସରରେ କାଚ ବୋତଲ ଭିତରେ ସୂକ୍ଷ୍ମ କଳାକୃତି କରି ଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧାର ସୂକ୍ଷ୍ମଶିଳ୍ପୀ ଏଲ ଇଶ୍ବର ରାଓ । ପବିତ୍ର ମହାଶିବରାତ୍ରି ତଥା ଜାଗରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ହାଟବଜାର ଅଞ୍ଚଳର ଏହି ସୂକ୍ଷ୍ମ ଶିଳ୍ପୀ କାଚ ବୋତଲ ଭିତରେ ଦେବ ଦେବ ମହାଦେବଙ୍କ ସୂକ୍ଷ୍ମ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଏହି ଆକର୍ଷଣୀୟ କଳାକୃତି ପାଇଁ ପୁଣିଥରେ ସେ ପ୍ରଶଂସା ସାଉଁଣ୍ଟିଛନ୍ତି ।
ଏଲ ଇଶ୍ବର ରାଓଙ୍କ ସୂକ୍ଷ୍ମ କଳାକୃତି ତାଙ୍କୁ ନୂଆ ପରିଚୟ ଦେଇଛି । ସବୁବେଳେ ନୂଆ ନୂଆ କଳାକୃତି ପାଇଁ ସେ ଚର୍ଚ୍ଚାରେ ରହିଆସିଛନ୍ତି । ବର୍ତ୍ତମାନ ଜାଗର ଉପଲକ୍ଷେ ସେ ମହାଦେବଙ୍କ ସୂକ୍ଷ୍ମ ପ୍ରତିମୂର୍ତ୍ତି କରିଛନ୍ତି । ୭୫୦ ମିଲି କାଚ ବୋତଲ ଭିତରେ ଶିବଶମ୍ଭୁଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତକରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ଶିଳ୍ପୀ କାଚ ବୋତଲ ଭିତରେ ମାଟି, ତୁଳା, କାଗଜ ଓ ରଙ୍ଗ ବ୍ୟବହାର କରି ମହାଦେବଙ୍କୁ ସ୍ଥାପନ କରିଛନ୍ତି । ତାଙ୍କର ଏହି କଳାକୃତି ଯେତିକି ଆକର୍ଷଣୀୟ ସେତିକି ମନଲୋଭା ମଧ୍ୟ । କାଚ ବୋତଲ ଭିତରେ ଏହି କଳାକୃତିର ଉଚ୍ଚତା ୫ ଇଞ୍ଚ ଉଚ୍ଚ ଓ ଚଉଡା ୪ ଇଞ୍ଚ ହୋଇଥିବା କହିଛନ୍ତି ଈଶ୍ୱର । ଏହାକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୧୦ ଦିନ ସମୟ ଲାଗିଥିଲା ।
ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଈଶ୍ୱର ତାଙ୍କର ଏହି ସୂକ୍ଷ୍ମ କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ହର ହର ମହାଦେବଙ୍କ ନିକଟରେ ପାର୍ଥନା କରିଛନ୍ତି । ପୂର୍ବରୁ ମଧ୍ୟ ଈଶ୍ୱର ଅନେକ ସୂକ୍ଷ୍ମ କଳାକୃତି କରି ବେଶ୍ ଚର୍ଚ୍ଚା ପ୍ରଶଂସା ପାଇଛନ୍ତି । କାଚ ବୋତଲ ଭିତରେ ମହାମହିମ ରାଷ୍ଟ୍ରପତି, ଅଗ୍ରପୂଜ୍ୟ ଗଣେଶ, ଶିବଲିଙ୍ଗ, ଶେଷ ନାଗ, ଯୀଶୁଖ୍ରୀଷ୍ଟଙ୍କ କଳାକୃତି କରି ସଫଳତା ପାଇଛନ୍ତି । ସେହିପରି ଖୋର୍ଦ୍ଧା ଶିଳ୍ପୀ ଏହି ସୂକ୍ଷ୍ମ କଳାକୃତି ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଥିବା ବେଳେ ସେ ତାଙ୍କ ଘରେ ଏହି କଳାକୃତିର ଏକ ଛୋଟ ସଂଗ୍ରହାଳୟ କରିଥିବା ଦେଖିବକୁ ମିଳିଛି । ତେବେ ଏହିସବୁ କଳାକୃତି ଦ୍ୱାରା ଯଦିଓ କିଛି ରୋଜଗାର ହୁଏନି କିନ୍ତୁ ଆତ୍ମସନ୍ତୋଷ ମିଳିଥାଏ ବୋଲି କୁହନ୍ତି ଈଶ୍ୱର ରାଓ ।
ଇଟିଭି ଭାରତ, ଖୋର୍ଦ୍ଧା