ଭୁବନେଶ୍ବର: ସ୍ବାମି ସାଜିଲା ଶତ୍ରୁ । ସାତଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀକୁ ବଦନାମ କରିବାକୁ ପଛେଇଲାନି । ପତ୍ନୀ ସହ ବିତାଇଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ଭାଇରାଲ କରି ଫେରାର ହୋଇ ଶେଷରେ ପୋଲିସ ଦ୍ବାରା ଗିରଫ ମଧ୍ୟ ହୋଇଛି ।
ଏମିତି ଏକ ଘଟଣା ଘଟିଛି ରାଜଧାନୀରେ। ଖଣ୍ଡଗିରି ଅଞ୍ଚଳର ୨୫ ବର୍ଷିୟ ଯୁବକ ଉଦିତ ନାରାୟଣ ଭଟ୍ଟ ନାମକ ଜଣେ ଯୁବକ ନିଜ ପତ୍ନୀର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଗିରଫ ହୋଇଛି । ତେବେ ନିଜ ପତ୍ନୀଙ୍କ ସହ ମତାନ୍ତର ଯୋଗୁଁ ରାଗ ରଖି ଏପରି କରିଛନ୍ତି ଯୁବକ ଜଣକ। ସମ୍ପୃକ୍ତ ଯୁବକଙ୍କ ପତ୍ନୀ ମେ ମାସରେ ମଧ୍ଯ ମହିଳାଥାନାରେ ୪୯୮ରେ ଏକ କେସ ରୁଜୁ କରିଥିଲେ । ପରେ ସମ୍ପୃକ୍ତ ଯୁବକ ଜଣକ ହାଇକୋର୍ଟରୁ ବେଲ ପାଇଥିଲେ ସିନା କିନ୍ତୁ ସେବେଠାରୁ ସ୍ବାମୀଙ୍କର ରାଗ ଶାନ୍ତ ହୋଇନଥିଲା ।
ପ୍ରତିଶୋଧ ନେବା ପାଇଁ ନିଜ ପତ୍ନୀଙ୍କ ସହ ଥିବା ଏକ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ପରେ ଏନେଇ ମହିଳା ଜଣକ ମହିଳାଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଆଇପିସି ଧାରା ୨୯୦ଏ, ୨୯୦, ୨୯୪, ୨୯୮, ୫୦୦, ୫୦୬, ୩୪ ଓ ଆଇଟି ଆକ୍ଟର ଧାରା ୬୭ରେ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡ଼ା. ଇଟିଭି ଭାରତ