ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବରଙ୍କ ସହଯୋଗୀ ଚନ୍ଦନଙ୍କୁ 12 ଘଣ୍ଟା ଧରି ଜେରା କରିଲା ଇଡି । ସମନ ପରେ ବୁଧବାର ଇଡିରେ ହାଜର ହୋଇଥିଲେ । ଅର୍ଚ୍ଚନାଙ୍କ ସହ ହୋଇଥିବା ଆର୍ଥିକ କାରବାର ବିଷୟରେ ତଥ୍ୟ ଓଗାଳିବା ପାଇଁ ଅଭିଳାଷ ପ୍ରିୟଦର୍ଶୀ ଓରଫ ଚନ୍ଦନଙ୍କୁ 12 ଘଣ୍ଟା ଧରି ଜେରା କରିଥିଲା ଇଡି ।
ଅର୍ଚ୍ଚନାଙ୍କ ଆର୍ଥିକ କାରବାର ବିଷୟରେ ଜାଣିବା ପାଇଁ ଇଡି ପ୍ରଥମ ପର୍ଯ୍ୟାୟରେ 11ଜଣଙ୍କୁ ସମନ ଜାରି କରିଥିଲା । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା 7ଜଣଙ୍କୁ ଜେରା କରାଯାଇଛି। ଖୁବଶୀଘ୍ର ଆଉ 4 ଜଣଙ୍କୁ ଜେରା କରାଯିବ ବୋଲି ସୂଚନା ରହିଛି । ଜେରା ହୋଇଥିବା 7ଜଣଙ୍କ ଅର୍ଚ୍ଚନା ସହ ଆର୍ଥିକ କାରବାର ହୋଇଥିଲା । ସେ ବାବଦରେ ଜାଣିବା ପାଇଁ ଜେରା କରାଯାଇଛି । ତେବେ ସମନ ପରେ ଗତକାଲି(ବୁଧବାର) 10ରେ ଇଡିରେ ହାଜର ହୋଇଥିଲେ ଅଭିଳାଷ । ଇଡିର ପଚରାଉଚରା ସମୟରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଜଣାପଡିଛି । ଅନ୍ୟପଟେ ଇଡି ଅଧିକାରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା କଥା କହିଛନ୍ତି ଅଭିଳାଷ ।
ଏହା ମଧ୍ୟ ପଢନ୍ତୁ: ଖୋଲିବ ଅର୍ଚ୍ଚନାର କଳା ଟଙ୍କା ଗୁମର, EDରେ ହାଜର ହେଲେ ଖଗେଶ୍ବରର ସହଯୋଗୀ ଚନ୍ଦନ
ଅର୍ଚ୍ଚନା କଳାଧନକୁ ଧଳା କରୁଥିବା ବେଳେ ଏଥିରେ ମିଡିଲମ୍ୟାନ ସାଜି ସହଯୋଗ କରୁଥିଲା ଖଗେଶ୍ବର । ସୁପ୍ରିମ ମୋଟର୍ସ ଥିଲା ଏହାର ମାଧ୍ୟମ । ପୂର୍ବରୁ ଅର୍ଚ୍ଚନା, ଖଗେଶ୍ବର ଏବଂ ଜଗବନ୍ଧୁଙ୍କ ମଧ୍ୟରେ ୩୫ ଲକ୍ଷର କାରବାର ସାମ୍ନାକୁ ଆସିଥିଲା । ତେବେ ସୁପ୍ରିମ ମୋଟର୍ସ ସାହାଯ୍ୟରେ ଅର୍ଥ କାରବାର କରୁଥିବା ନେଇ ସନ୍ଦେହ କରିଥିଲା ଇଡି । ଏନେଇ ପ୍ରଥମେ ଖଗେଶ୍ବରକୁ ପଚରାଉଚରା କରିହା ସମୟରେ ସତ ମାନିନଥିଲା । ତେଣୁ ସହଯୋଗୀ ଚନ୍ଦନକୁ ଏହି ବାବଦରେ ଇଡି ପଚରାଉଚରା କରିଥିବା ନେଇ ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି 3 କୋଟି ଟଙ୍କା ମାଗିଥିଲେ ଅର୍ଚ୍ଚନା । ଏନେଇ ଅକ୍ଷୟ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଜାମିନ ପାଇଁ ଭୁବନେଶ୍ବର ଜେଏମଏଫସି-3ରେ ଆବେଦନ କରିଥିଲେ ଅର୍ଚ୍ଚନା । ହେଲେ କୋର୍ଟ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର