ଭୁବନେଶ୍ବର: ଆ-କା-ମା-ବୈ... ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଅନ୍ତିମ ଦିନ । ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ଡଙ୍ଗା ବା ବୋଇତ ଭସାଇ ସଭିଏଁ । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ସମଗ୍ର ରାଜ୍ୟ । ତେବେ ଓଡିଶା ସଂସ୍କୃତି ଓ ପରମ୍ପରାର ମହାନ ପର୍ବ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ନଜର ପକାନ୍ତୁ, ରାଜ୍ୟରେ ବିଭିନ୍ନ ସ୍ଥାନରେ କିପରି ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ....
ପ୍ରାଚୀନ ସଂସ୍କୃତିର ଅନନ୍ୟ ପରମ୍ପରା ବୋଇତ ବନ୍ଦାଣ ଉତ୍ସବକୁ ଓଟିଡିସି ପକ୍ଷରୁ ପାନ୍ଥ ନିବାସ ଠାରେ ବଡ ଧୁମଧାମରେ ପାଳନ କରାଯାଇଛି । ବିଭିନ୍ନ ଜରାଶ୍ରମର ଅନ୍ତେବାସୀ ଏବଂ ରାମକୃଷ୍ଣ ମିଶନ ସ୍କୁଲର ଛାତ୍ରଛାତ୍ରୀ ଏହି ଉତ୍ସବରେ ସାମିଲ ହୋଇଥିଲେ । ସେପଟେ ପର୍ଯ୍ୟଟକଙ୍କ ପାଇଁ ଚଇତି ନାଚର ଆୟୋଜନ କରିଥିଲା ପାନ୍ଥ ନିବାସ ।
ଖୋର୍ଦ୍ଧା/ ଅନୁଗୋଳ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏକ ପ୍ରକାର ଉତ୍ସବମୁଖର ହୋଇଉଠିଛି ଖୋର୍ଦ୍ଧା ଜିଲ୍ଲା । ସକାଳୁ ସକାଳୁ ବିଭିନ୍ନ ଶୈବପୀଠ ଓ ଜଳାଶୟରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ । କଦଳୀ ପାଟୁଆ, ସୋଲ ଡଙ୍ଗା ଭସାଇଥିଲେ ସଭିଏଁ । ସେହିପରି ଅନୁଗୋଳ ଜିଲ୍ଲାରେ ମଧ୍ୟ ବଡ ଧୁମଧାମରେ ପାଳିଛନ୍ତି ସଭିଏଁ କାର୍ତ୍ତିକ ପୂର୍ଣ୍ଣିମା । ଭୋରୁ ଭୋରୁ ସହରର ସମସ୍ତ ଜଳାଶୟ ମାନଙ୍କରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ବଢି ଭୋରୁ ଭଳିକି ଭଳି ଡଙ୍ଗା ପ୍ରସ୍ତୁତ କରି ଜଳାଶୟରେ ଭସାଇଛନ୍ତି ସମସ୍ତେ । କିଏ ସୋଲ ତ ଆଉ କିଏ କଦଳୀ ପାଟୁଆରେ ପ୍ରସ୍ତୁତ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ଏହା ଛଡା ଅନୁଗୋଳର ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଧ୍ୟ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।
ସୁବର୍ଣ୍ଣପୁର
ଅନ୍ୟପଟେ ସୁବର୍ଣ୍ଣପୁର ସହରର ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ହୋଇଥିଲା । ଆଜିର ଏହି ପୁଣ୍ୟ ତିଥିରେ ହଜର ହଜାର ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନକରି ବାବା ରାମେଶ୍ବରଙ୍କ ଦର୍ଶନ କରିଛନ୍ତି । ତେଲ ନଦୀ,ମହାନଦୀ ଓ କର୍ପୂର ନଦୀର ତ୍ରିବେଣୀ ସଙ୍ଗମରେ ରାତ୍ରିର ଶେଷ ପ୍ରହରରୁ ଲୋକଙ୍କ ସମାଗମ ଆରମ୍ଭ ହୋଇଥିଲା ।
ରାଉରକେଲା
ଇସ୍ପାତ ନଗରୀରେ ମଧ୍ୟ ବଡ ଧୁମଧାମରେ ପାଳିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା । ନୌବାଣିଜ୍ୟ ପରମ୍ପରାକୁ ମନେପକାଇବା ପାଇଁ ଡଙ୍ଗା ଭସାଇ ଥିଲେ ସମସ୍ତ । ବିଶେଷକରି ବ୍ରାହ୍ମଣୀ ପୋଖରୀ, କୋଏଲ ନଦୀ ସହ ବିଭିନ୍ନ ଜଳାଶୟରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା ।
କେନ୍ଦୁଝର
ସାରା ରାଜ୍ୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଥିବା ବେଳେ ଏଥିରୁ ବାଦ୍ ପଡିନି କେନ୍ଦୁଝର ଜିଲ୍ଲା । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡିଛି ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଥିବା ଶୈବ୍ୟାକାବେରୀ ପୀଠ । ବଡି ଭୋରୁ ଏଠାରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ପାଟଣା ବ୍ଲକ ରାଜନଗର ବୈତରଣୀ ନଦୀ କୂଳରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଠାରେ ୪୦ଫୁଟ ଲମ୍ବ ଓ ୨୦ ଫୁଟ ଓସାରର ବୋଇତ ବନ୍ଦାଣ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀରେ ବୁଡ଼ ପକାଇ ରାଜନଗର ସ୍ଥିତ ଦଧିବାମନ ଜିଉଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ତୁରୁମୁଙ୍ଗା ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।
ଢେଙ୍କାନାଳ
କାର୍ତ୍ତିକ ପୂଣ୍ଣିମା ଅବସରରେ ଢେଙ୍କାନାଳର ସଂନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । ସହରର ଭାଗିରଥୀ ସାଗର କୂଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁନିକୁନି ପିଲାମାନେ ବିଭିନ୍ନ ନୃତ୍ୟ ସଂଗୀତ ପରିବେଶଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ଯୋଗଦେଇ ଉଦଘାଟନ କରିଥିଲେ । ବଡିଭୋର ସମୟରେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକମାନଙ୍କର ମନୋରଞ୍ଜନର ମାଧ୍ୟମ ପାଲଟିଥିଲା । ତେବେ ଦୀର୍ଘ ୩୭ ବର୍ଷ ଧରି ଏହି ଉତ୍ସବ ପାଳିତ ହୋଇଆସୁଥିବା କହିଛନ୍ତି ଆୟୋଜକ ।
ବୌଦ୍ଧ
ପୁଣ୍ୟ ମାସ କାର୍ତ୍ତିକର ଶେଷ ଦିନରେ ବିଭିନ୍ନ ଦେବାଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ମଧ୍ୟରାତ୍ରିରୁ ମହାନଦୀ ଓ ଅନ୍ୟନଦୀ କୂଳରେ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଚାରିଶମ୍ଭୁ ମନ୍ଦିର ଓ ରାମେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା ।
କୋରାପୁଟ
ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ନୌବାଣିଜ୍ୟ ପରମ୍ପରାକୁ ମନେଇବାକୁ ଭୋରରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥିଲେ । ତେବେ ଶାବର ଶ୍ରୀକ୍ଷେତ୍ରରେ ପରମ୍ପରା ଅନୁଯାୟୀ ଜଗନ୍ନାଥ ମନ୍ଦିରରୁ ଏକ ସ୍ବତନ୍ତ୍ର ଡଙ୍ଗା ନରେନ୍ଦ୍ର ସରୋବରରେ ଭସା ଯାଇଥିଲା ।
ନୟାଗଡ
ଜିଲ୍ଲାରେ ବଡ ଆନନ୍ଦ ଉଲ୍ଲାସରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ଭୋରରୁ ବିଭିନ୍ନ ଜଳାଶୟରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ତେବେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲପାଳ ପୋମା ଟୁଡୁଙ୍କ ଅଭିନେତ୍ରୀ ଏଲିନା ସାମନ୍ତରାୟ ସାମିଲ ହୋଇଥିଲେ ।
ଯାଜପୁର
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବୈତରଣୀ ନଦୀର ଦଶାଶ୍ବାମେଧ ଘାଟରେ ବଢ଼ି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ବୋଇତ ବନ୍ଦାଣ ପାଇଁ ଭିଡ ଜମାଇଥିଲେ । ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ରଖିବା ପାଇଁ କଦଳୀ ପାଟୁଆ ଏବଂ ସୋଲରେ ନିର୍ମିତ ବୋଇତକୁ ବୈତରଣୀ ନଦୀରେ ଭସାଇଥିଲେ ଶ୍ରଦ୍ଧାଳୁ । ଆ କା ମା ବୈ... ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ