ଭୁବନେଶ୍ବର: ଶିକ୍ଷା ଗ୍ରହଣ କରିବା ପାଇଁ ସମସ୍ତଙ୍କର ଅଧିକାର ରହିଛି । ସେଥିପାଇଁ ଗରିବ ଘରର ପିଲାମାନଙ୍କ ପାଇଁ ପ୍ରତି ବେସରକାରୀ ସ୍କୁଲ ଗୁଡିକରେ ୨୫ ପ୍ରତିଶତ ସଂରକ୍ଷଣ ରହିଛି । ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ବେସରକାରୀ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢ଼ି ପାରିବେ । ଏନେଇ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଗୋଟିଏ ପିଲା ପିଛା ବହି, ଖାତା, ମିଡ-ଡେ ମିଲ ଓ ତାର ସ୍କୁଲ ପୋଷାକ ବାବଦକୁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । କିନ୍ତୁ ଏହାରି ମଧ୍ୟରେ କିଛି ଶିକ୍ଷା ଅନୁଷ୍ଠାନ ଚଞ୍ଚକତା କରି ସରକାର ଦେଉଥିବା ଟଙ୍କାକୁ ନେଉଛନ୍ତି, ଏହା ସହିତ ପିଲାଙ୍କଠାରୁ ମଧ୍ୟ ଉଚ୍ଚା ଦରରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏନେଇ ଏଲିମେଣ୍ଟାରୀ ଏଜୁକେସନ ନିର୍ଦ୍ଦେଶକଙ୍କୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ଭେଟି ଅଭିଯୋଗ କରିଛନ୍ତି ଅନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ।
ତେବେ ଅନେକ ସମୟରେ ରାଜ୍ୟରେ ଥିବା ବିଭିନ୍ନ ବେସରକାରୀ ସ୍କୁଲ୍ ଗୁଡିକରେ ଅଯଥା ମୋଟା ଅଙ୍କର ପଇସାରେ ବହି କିଣିବା ପାଇଁ ବାଧ୍ୟ କରିବା ସହ ପିଲାଙ୍କୁ ବସ୍ତାନୀ ବୋଝ ବୁହାଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ବେଖାତିର କରି ଘରୋଇ ସ୍କୁଲ ସହ ସଲାସୁତୁରା ଓ ଭିତିରି ବୁଝାମଣାରେ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀ ମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଏପରିକି ହାଇକୋର୍ଟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଉକ୍ତ ପ୍ରସଙ୍ଗରେ ପକ୍ଷ ରଖିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.. ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
କିନ୍ତୁ ପୂର୍ବରୁ ଯେଉଁଭଳି ଭାବରେ ବେସରକାରୀ ସ୍କୁଲମାନେ ବହି ଗୁଡିକକୁ ଅଧିକ ଦାମରେ ବିକ୍ରି କରୁଥିଲେ, ବର୍ତ୍ତମାନ ମଧ୍ୟ ସେହି ଭଳି ଭାବରେ ବିକ୍ରି କରୁଥିବାର ଅଭିଯୋଗ ଆଣିଛନ୍ତି ଇଣ୍ଟରନାସନାଲ ହ୍ୟୁମାନ ରାଇଟ୍ସ କମିଶନ । ଏନେଇ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ପିଲାଙ୍କୁ ଯେଉଁ ବହି ବିକ୍ରି କରାଯାଉଛି, ସେଥିରେ ମଧ୍ୟ ମହା ବିଭ୍ରାଟର ଅଭିଯୋଗ କରିଛନ୍ତି ଅନ୍ତର୍ଜାତୀୟ ମାନବାଧିକାର କମିଶନର ସଦସ୍ୟ । କମିଶନଙ୍କୁ ମିଳିଥିବା ତଥ୍ୟ ସହିତ ଏଲିମେଣ୍ଟାରୀ ଏଜୁକେସନ ନିର୍ଦ୍ଦେଶକଙ୍କୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି କମିଶନଙ୍କ ଓଡ଼ିଶା ସଭାପତି ଓ ସଦସ୍ୟ । ଯେଉଁମାନେ ବେଆଇନ ଭାବରେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର