ଭୁବନେଶ୍ବର: ଓଡିଶାରେ ଗଭର୍ଣ୍ଣାନ୍ସର ଅଭାବ ରହିଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ତଥ୍ୟନୁସାରେ ଓଡିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ । ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏକ ଦୈନିକ ଖବରକାଗଜରେ ପ୍ରକାଶିତ ‘ଓଡିଶା ମୁଣ୍ଡରେ ଅପପୁଷ୍ଟିର କଳଙ୍କ’ ବିଷୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ରାଜ୍ୟରେ ଅପପୁଷ୍ଟି, ଶିଶୁମୃତ୍ୟୁ ହାର, ମହିଳା ମାନଙ୍କ ରକ୍ତହୀନତା ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ । ବୟସ ଓ ଉଚ୍ଚତା ଅନୁସାରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ହେଉନାହିଁ । ଜନଜାତି ପିଲା ଓ କିଶୋର କିଶୋରୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ନାହିଁ । ଏହା କେବଳ ବିରୋଧୀ ଦଳର ଅଭିଯୋଗ ନୁହେଁ ବରଂ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ସର୍ଭେର ରିପୋର୍ଟ କହୁଛି । ନବଜାତ ଶିଶୁ ଏବଂ ଗର୍ଭବତୀ ମା, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ ଅଛି । ଅପପୁଷ୍ଟି କାରଣରୁ ସେମାନଙ୍କର ସ୍ଵାସ୍ଥ୍ୟବସ୍ଥା ଯେମିତି ରହିବା କଥା ସେମିତି ରହୁନାହିଁ। ଉଚ୍ଚତା କମୁଛି ଓଜନ କମୁଛି, ମାନସିକ ବିକାଶ ହେଉନି ।’’ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଅନୁରୋଧ କରି ଧର୍ମେନ୍ଦ୍ର କହିଛନ୍ତି ଯେ ଆଦିବାସୀ ମା ଶିଶୁ ମାନେ ସବୁଠୁ ଖରାପ ଅବସ୍ଥାରେ ଅଛନ୍ତି । ସରକାରଙ୍କ ଆଖି ଖୋଲୁ । ଓଡ଼ିଶାରେ ଗଭର୍ଣ୍ଣାନ୍ସର ଡେଫିସିଟ ଅଛି । ଆପଣ ମୋତେ ଗାଳି ଦିଅନ୍ତୁ ହେଲେ କାମକୁ ଧ୍ୟାନ ଦିଅନ୍ତୁ । ଗଭର୍ଣ୍ଣାନ୍ସ ଡେଫିସିଟ ହୋଇଥିବା କାରଣରୁ ରାଜ୍ୟରେ ଅପପୁଷ୍ଟିର ଏମିତି ସ୍ଥିତି ରହିଛି ।
ଏହାବି ପଢନ୍ତୁ- କମୁଛି ଚାହିଦା, ହଜୁଛି କଳା: ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ବଡକୋଦଣ୍ଡାର କଣ୍ଢେଇ ନାଚ
ଆଜି ଜନ୍ମ ନେଉଥିବା ଶିଶୁଙ୍କୁ ନେଇ ଦେଶ ଅମୃତ ମହୋତ୍ସବ ପାଳନ କରିବ । ପ୍ରାୟ ୧୩ ବର୍ଷ ପରେ ୨୦୩୬ ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଅର୍ଥାତ ଆଜିର ୧୦ ବର୍ଷର ପିଲା ସେ ସମୟରେ ୨୩ ବର୍ଷର ଯୁବକ ହେବ । ସେହି ପିଲାର ଦୃଢ ଇଚ୍ଛାଶକ୍ତି ବଳରେ ଓଡ଼ିଶା ପରିବର୍ତ୍ତନର ବଡ଼ ଭରସା ହେବ । ମାତ୍ର ବର୍ତ୍ତମାନରୁ ସେମାନଙ୍କର ସ୍ବାସ୍ଥ୍ୟ ଓ ଶରୀରର ଯତ୍ନନେବାକୁ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘ ବର୍ଷ ଧରି ଅନୁରୋଧ କରାଯିବା ପରେ ମଧ୍ୟ ସେ ଏ ଦିଗ ପ୍ରତି ଧ୍ୟାନ ନ ଦେବା ଦୁଃଖର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେହିପରି ଧର୍ମେନ୍ଦ୍ର କହିଛନ୍ତି ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହୋଇପାରିବ ନାହିଁ। ଏଠି ଫାଳେ ଇଞ୍ଜିନ ଅଛି । ଆମେ ଚାହିଁବୁ ମୋଦିଙ୍କ ଦୃଷ୍ଟିରେ ଲାଗିଲେ ଅଥଚ ଅପପୃଷ୍ଟି ହୁଅନ୍ତା ନାହିଁ । ହରିୟାଣାର ଡବଲ ଇଞ୍ଜିନ ସରକାର ହେବା ପରେ ପୁଅ ଏବଂ ଝିଅଙ୍କ ଅନୁପାତରେ ସମାନତା ଆସିଛି । ଗୁଡ ଗଭର୍ଣ୍ଣାନ୍ସର ଯିଏ ଦାବି କରୁଛି ଓଡିଶା ସରକାର ସ୍ବାସ୍ଥ୍ୟ ବିଭାଗର ଏହି ସର୍ଭେର ତଥ୍ୟକୁ କଣ କହିବେ । ସରକାରଙ୍କ ଆଖି ଖୋଲୁ । ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ମୂଳ ପ୍ରସଙ୍ଗ ଏବଂ ତଥ୍ୟ ଆଧାରରେ ଏହାର ବିତର୍କ ହେବା ଜରୁରୀ ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର