ଭୁବନେଶ୍ବର: ସାଧାରଣ ନିର୍ବାଚନ ଥିବାରୁ ଓଡ଼ିଶା ଗସ୍ତରେ ଆସିବେ 2 ଜାତୀୟ ଦଳର କେନ୍ଦ୍ରୀୟ ନେତା । ଚଳିତ ମାସରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେହିପରି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ବିଜେଡି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନୁହନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ସମ୍ବିତ ରାଉତରାୟ ।
ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେଡି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, " 2019 ଅପେକ୍ଷା 2024ରେ ଆମେ ଅଧିକ ସିଟ ନେବୁ । ରାଜ୍ୟରେ ବିରୋଧୀ ଦଳଙ୍କ ସୁଅ ହିଁ ନାହିଁ । ଅତୀତରେ କିଛି କିଛି ଥିଲା, ଏଥର ଟୋଟାଲ ନାହିଁ । ସମସ୍ତେ ସୁପ୍ତ ପ୍ରାୟ । ତେଣୁ ଏଠାରେ ନବୀନ ଓ ବିଜୁ ଜନତା ଦଳ ଛଡା କିଛି ନାହିଁ । କୋଭିଡ ଓ ପରବର୍ତ୍ତୀ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ମଠ ମନ୍ଦିର କାର୍ଯ୍ୟକ୍ରମ ହୋଇଛି । ଆମେ ଜାଣିଛୁ ବିଗତ ଦିନରେ ଆମେ କଣ କରିଛୁ । କଣ ଆଶା କରୁଛୁ ଓ ଲୋକଙ୍କ ମନରେ କେତେ ଦୂର ପଶିଛୁ ସେଇଟା ବଡ଼ କଥା । ଆମେ ଜାଣିଛୁ ଲୋକଙ୍କ ମନ ଭିତରେ ଆମେ ବସିସାରିଲୁଣି ।"
ଏହା ବି ପଢନ୍ତୁ- ବିଜେପିର କୋର କମିଟି ବୈଠକ, ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ
ସମ୍ବିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୀମଙ୍କ ସହ ତୁଳନା କରିବାକୁ ପଛାଇ ନାହାଁନ୍ତି । ସେ କହିଛନ୍ତି ଯେ, ଗୋଟେ ଭୀମ ହେଲେ, 99 ଭାଇଙ୍କର କିଛି ଦମ ନାହିଁ । ସବୁ କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଚାଲି ଆସନ୍ତୁ, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେହି ସମକକ୍ଷ ହେବେନାହିଁ । ଟଙ୍କା ଦେଇ ମିଟିଂକୁ ଲୋକ ନେଇଯିବା ଠିକ ଅଛି । କିନ୍ତୁ ଯେତେବେଳେ ଭୋଟ ବାକ୍ସରେ ପଡିବ ସେତେବେଳେ ସମସ୍ତଙ୍କ ହାତ ଶଙ୍ଖ ଚିପିଥିବ । ନବୀନଙ୍କ ଖାତାକୁ ଭୋଟ ଯାଇଥିବ । ତେଣୁ ଯେତେ କେନ୍ଦ୍ରମନ୍ତ୍ରୀ ଆସନ୍ତୁ, ଯାହା କରନ୍ତୁ ଆମର କିଛି କହିବାର ନାହିଁ । ସେମାନଙ୍କର ଅଭ୍ୟାସଗତ ସ୍ଵଭାବ ହେଉଛି କହିବା ।
ସେପଟେ ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି, "କେନ୍ଦ୍ର ନେତୃତ୍ବ ଓଡ଼ିଶା ଆସିବା ପାଇଁ ନିଷ୍ପତ୍ତି ହୋଇଥିଲା । ଜାନୁଆରୀ 22ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅଛି । ତେଣୁ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତେ ବ୍ୟସ୍ତ ଅଛନ୍ତି । କେନ୍ଦ୍ର ନେତୃତ୍ବ ଆସିବାରେ ବିଳମ୍ବ ହୋଇଛି । ସାଧାରଣତନ୍ତ୍ର ଦିବସ ପରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତା ନିଶ୍ଚୟ ଭାବେ ଓଡ଼ିଶା ଗସ୍ତରେ ଆସିବେ । କେନ୍ଦୁଝର ଜିଲ୍ଲାକୁ ଗୃହମନ୍ତ୍ରୀ କିମ୍ବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସିବାର କାର୍ଯ୍ୟକ୍ରମ ରହିଛି । ଡବଲ ଇଞ୍ଜିନର ସରକାର କରିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି । ସେହି ଆଧାରରେ ସବୁ କେନ୍ଦ୍ରୀୟ ନେତୃତ୍ବଙ୍କର ଆସିବାର କାର୍ଯ୍ୟକ୍ରମ ହେଉଛି । ଆଗାମୀ ଦିନରେ ଆମେ ଯଶସ୍ବୀ ଲାଭ କରିବୁ ବୋଲି ଆଶାବାଦୀ ଅଛୁ ।"
ଏହା ବି ପଢନ୍ତୁ- ୨୦୨୪ ସାଧାରଣ ନିର୍ବାଚନ: ବିଜେପି-ବିଜେଡି ପାଇଁ କଣ ରହିବ ଚ୍ୟାଲେଞ୍ଜ ?
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିର ଆତ୍ମ ଗର୍ବ ଓ ଅହଂକାର ବଢିଯାଇଛି । ଓଡ଼ିଶାରେ ପ୍ରଭାବ ପଡିବ ନାହିଁ ବୋଲି ଏହି ଗୋଟିଏ କଥାକୁ ଦୋହରାଇବେ । ଏଠି ଯେତେ ଦୁର୍ନୀତି, ଅନ୍ୟାୟ, ଅନୀତି ହେଲେ ମଧ୍ୟ ବିଜେଡି ନିଜ ଭୋଟ ବ୍ୟାଙ୍କ ବଞ୍ଚେଇବାକୁ ଚେଷ୍ଟା କରୁଛି । ନୂଆ ଓଡିଶା, ନବୀନ ଓଡିଶା ଯୋଜନା ଜରିଆରେ ଭୋଟ ବ୍ୟାଙ୍କ ବଞ୍ଚେଇବାକୁ ଚାହୁଁଛନ୍ତି । ସମୟ ବଡ଼ ବଳବାନ । ଆଜି ବିଜୁ ଜନତା ଦଳ ଭୟଭୀତ ଓ ଆଶାଶୂନ୍ୟ ଅଛି । ବିଜେଡି ସରକାର ଓଡ଼ିଶାରେ ଆସି ପାରୁ ନାହିଁ । ମୁଖ୍ୟମନ୍ତ୍ରୀ କୌଣସି ସ୍ଥାନକୁ ଗସ୍ତ କରିପାରୁନାହାନ୍ତି । 5ଟି ଅଧ୍ୟକ୍ଷଙ୍କ ମାଧ୍ୟମରେ ହତୋତ୍ସାହିତ ହୋଇଥିବା ଦଳକୁ ପୁନର୍ଜିବିତ କାରିବାକୁ ଚେଷ୍ଟା କରୁଛନ୍ତି । ସମୟ ଠିକ ସମୟରେ ଜବାବ ଦେବ ।
ଇଟିଭି ଭାରତ, ଭୁବନେଶ୍ବର