ସେପ୍ଟେମ୍ବରରେ ଭାରି ବର୍ଷା ସମ୍ଭାବନା, ଆସନ୍ତା ୩ରୁ ପ୍ରବଳ ଛେଚିବ - ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟରେ ୧୧ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୩ ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷାର ବିସ୍ତୃତି ବଢିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଅଧିକ ପଢନ୍ତୁ
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 31, 2023, 6:02 PM IST
ଭୁବନେଶ୍ବର: ରାଜ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ୪ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ତାରିଖରୁ ରାଜ୍ୟରେ ବର୍ଷା ହେବାର ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ନେଇ ଉପକୂଳ ଜିଲ୍ଲାରେ ଦେଖାଦେଇଛି ଉତ୍କଟ ସ୍ଥିତି। ଅଗଷ୍ଟ ଶେଷ ହେବାକୁ ବସିଥିବାବେଳେ ରାଜ୍ୟରେ ବର୍ଷା ଉଭାନ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡି ଦେଲେ ଅବଶିଷ୍ଟ ସ୍ଥାନରେ ବର୍ଷା କମ୍ ରହିଛି । ଚଳିତ ବର୍ଷର ଅଗଷ୍ଟ ସବୁଠି ଶୁଖିଲା ପାଲଟିଥିବାବେଳେ ଏହା ୧୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଆଉ ରାଜ୍ୟରେ ମରୁଡ଼ିର ଆଶଙ୍କା ସୃଷ୍ଟି କରିଛି ।
ତେବେ ପାଣିପାଗ ବିଭାଗର ସୂଚନା ମୁତାବକ, ଜୁନ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ରାଜ୍ୟରେ ୭୮୩.୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସ୍ୱାଭାବିକ ବର୍ଷା ରହିଛି ୯୧୪.୫ ମିଲିମିଟର । ଆଉ 3 ମାସର ଏହି ବର୍ଷାର ପରିମାଣ ସ୍ୱାଭାବିକଠାରୁ ୧୪ ପ୍ରତିଶତ କମ୍ ରହିଛି । ସିଜିନାଲ ରେକର୍ଡ ଅନୁଯାୟୀ, ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ନବରଙ୍ଗପୁରରେ ସର୍ବାଧିକ ୪୨ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି ।
ସେହିପରି ଖୋର୍ଦ୍ଧାରେ ୨୮ ଓ ଗଂଜାମରେ ୪୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଉପକୂଳ ଜିଲ୍ଲା ମଧ୍ୟରେ ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଗଂଜାମ ରହିଥିବାବେଳେ ଦକ୍ଷିଣ ଓଡ଼ିଶାର କୋରାପୁଟ ନବରଙ୍ଗପୁର କଳାହାଣ୍ଡି ଓ ରାୟଗଡା ଏହି ୪ ଜିଲ୍ଲାରେ ହୋଇଛି ନିଅଣ୍ଟିଆ ବର୍ଷା । ବୌଦ୍ଧରେ ବର୍ଷାର ପରିମାଣ ୨୦ ପ୍ରତିଶତ ଅଧିକ ରହିଥିବା ବେଳେ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରହୁଛି । ବିଶେଷ ଭାବେ କେବଳ ଅଗଷ୍ଟରେ ୧୮ ପ୍ରତିଶତ କମ ବର୍ଷା ରହିଛି ବୋଲି ବିଭାଗ ସୂଚନା ଦେଇଛି ।
ଅନ୍ୟପଟେ ରାଜ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ୪ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେବା ସହ ପାଗରେ ପରିବର୍ତ୍ତନ ଆସିବ । ତେବେ ୩ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ । ଏହାସହ ଭାରି ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୪ ଘଣ୍ଟାରେ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଆଜି ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ ଭାବେ ଉପକୂଳ ଓଡିଶା ସମେତ ପାଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଏନେଇ ୩୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଏହା ବି ପଢନ୍ତୁ...ଶ୍ରାବଣରେ ଶୁଖିଲା ଜମି; ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ
ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସୁନ୍ଦରଗଡ, ଦେଓଗଡ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ ,କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରି । ସେହିପରି ଆସନ୍ତାକାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବାବେଳେ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପରେ ଧୀରେ ଧୀରେ ବର୍ଷାର ମାତ୍ରା ୨ ତାରିଖଠାରୁ ବୃଦ୍ଧି ହେବ । ସେପ୍ଟେମ୍ବରର ଭାରି ବର୍ଷା ହିଁ ରାଜ୍ୟରେ ସ୍ୱାଭାବିକ ସ୍ଥିତି ଆଣିପାରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ସେପଟେ ମୌସୁମୀ ଦୁର୍ବଳ ଥିବାରୁ ରାଜ୍ୟରେ ତାପମାତ୍ରା ୩୭ ଡିଗ୍ରୀ ବୃଦ୍ଧିପାଉଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ପୁଣି ମୌସୁମୀର ସକ୍ରିୟତାକୁ ନେଇ ବିସ୍ତୃତି ବର୍ଷା ହେଲେ ଗୁଳୁଗୁଳି କମିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ପୁରୀରେ ୩୫ ଓ ଝାରସୁଗୁଡାରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ପାଗର ପରିବର୍ତ୍ତନ ପରେ ମୌସୁମୀ ପୁଣି ସକ୍ରିୟ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୋଟାମୋଟି ଭାବେ ଚଳିତ ବର୍ଷା ବର୍ଷାର ଅନିୟମିତତା ବୃଦ୍ଧି ପାଇଥିବାରୁ ରାଜ୍ୟରେ ବର୍ଷାର ଉତ୍କଟ ସ୍ଥିତି ଦେଖିବାକୁ ମିଳିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର