ଭୁବନେଶ୍ବର: ପ୍ରଚଣ୍ଡ ରୁଦ୍ର ତାପରେ ଆହୁରି ସିଝିବ ଓଡ଼ିଶା । ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ତାତିଲା ଉପକୂଳ । ଦିନ ୧୧ଟା ସୁଦ୍ଧା ଭୁବନେଶ୍ବରରେ ୪୧ ଡିଗ୍ରୀ ଛୁଇଁଛି ତାପମାତ୍ରା । ଆକାଶରୁ ଅଗ୍ନି ବର୍ଷା ହେବା ସହ ଶରୀର ଜଳିଗଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୮ ତାରିଖ ପରେ ଏହି ତାପମାତ୍ରା ସାମାନ୍ୟ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ଦୁଇଦିନ ତୁଳନାରେ ରାଜ୍ୟକୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ତାପମାତ୍ରା ଦୃଷ୍ଟନ୍ତାମୂଳକ ବୃଦ୍ଧି ସମ୍ଭାବନା ରହିଛି । ଏହା ବ୍ୟତୀତ ଗ୍ରୀଷ୍ମପ୍ରବାହ ରାଜ୍ୟରେ ୪ରୁ ୫ ଦିନ ପାଇଁ ରହିବ। ଏହି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଟକ ଏବଂ ଖୋର୍ଦ୍ଧା ଏହି ଜିଲ୍ଲାଗୁଡିକ ପାଇଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ କରାଯାଇଛି।
ଏହା ବି ପଢନ୍ତୁ- Raja festival: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ସେପଟେ ପାଣିପାଗ ବିଭାଗ ପକ୍ଷରୁ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, କନ୍ଧମାଳ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ । ଆସନ୍ତା ୧୮ ତାରିଖ ପରେ ଏହି ତାପମାତ୍ରା ସାମାନ୍ୟ କମିବାର ସମ୍ଭାବନା ରହିଛି । ୧୮ରୁ ୨୧ ତାରିଖ ଭିତରେ ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ମୌସୁମୀ ଆଗମନ ପାଇଁ ଅନୁକୂଳ ବାତାବରଣ ରହିଛି ।
ବର୍ତ୍ତମାନ ବର୍ଷାର ସେଭଳି କିଛି ସମ୍ଭାବନା ନଥିବା ବେଳେ ଆହୁରି ତିନିଦିନ ତତଲା କଡେଇରେ ଭାଜି ହେବ ରାଜ୍ୟ । ସେପଟେ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଗୁଜୁରାଟ ତଟ ଆଡକୁ ମୁହାଁଉଛି ବାତ୍ୟା ବିପର୍ଯୟ । ଆଜି ସନ୍ଧ୍ୟା ସୁଦ୍ଧା ଗୁଜୁରାଟର ସୌରାଷ୍ଟ କଚ୍ଛ ଓ ପାକିସ୍ତାନ ଉପକୂଳ ଅଞ୍ଚଳରେ ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଗୁଜୁରାଟର ସୌରାଷ୍ଟରେ ହାଇ ଆଲର୍ଟ ଜାରି । ତେବେ ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର