ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(BSKY)କୁ ନେଇ ଜନସାଧାରଣଙ୍କୁ ସଚେତନତା । BSKY ସଚେତନତା କାର୍ଯ୍ୟକୁ ଜୋରଦାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ । BSKY ସେଲ୍ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ସେ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ହେଲା BSKYରେ ବଡ଼ ଘୋଟାଲା ପଦାକୁ ଆସିଛି । ଏହି ବଡ ଜାଲିଆତି ଘଟଣା ପରେ BSKY ତାଲିକାରୁ ବାଦ ପଡିଛି କଟକର ସାଉଥ ପଏଣ୍ଟ ହସ୍ପିଟାଲ । ସାଉଥ ପଏଣ୍ଟ ହସ୍ପିଟାଲର ମାଲିକ ସମେତ 5 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏନେଇ ଘଟଣାକୁ ଗୁରୁତ୍ୱର ସହ ନେବା ପାଇଁ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ଆଗାମୀ ଦିନରେ BSKY ସଚେତନତା କାର୍ଯ୍ୟକୁ ଜୋରଦାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କଠାରୁ ମିଳିଥିବା ମତାମତ ଆଧାରରେ ମୋ ସରକାର ବ୍ୟବସ୍ଥାରେ ଶତ ପ୍ରତିଶତ ଅନୁପାଳନ ନିଶ୍ଚିତ କରିବାକୁ କୁହାଯାଇଥିଲା । ଏଥିପାଇଁ ଟୋଲ୍ ଫ୍ରି ନମ୍ବର 104(କଲ୍ ସେଣ୍ଟର୍) ଏବଂ 155369(କାର୍ଡ ସମ୍ବନ୍ଧୀୟ) ମାଧ୍ୟମରେ ଗ୍ରହଣ କରାଯାଇଥିବା ଅଭିଯୋଗର ସମାଧାନ ପାଇଁ ସେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ସୋସିଆଲ ମିଡିଆ ସମେତ ବିଭିନ୍ନ ୱିଣ୍ଡୋ ମାଧ୍ୟମରେ ଗ୍ରହଣ କରାଯାଇଥିବା ୯୫ ପ୍ରତିଶତରୁ ଅଧିକ ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୈଠକରେ BSKY ପ୍ରଦର୍ଶନ ଅନୁଯାୟୀ ରାଜ୍ୟ ଭିତରେ ଓ ବାହାରେ ଥିବା ଡାକ୍ତରଖାନାଗୁଡ଼ିକର ରାଙ୍କିଂ ଏବଂ ମାନଦଣ୍ଡ ଉପରେ ବିଚାର ବିମର୍ଶ କରାଯାଇଛି । ଅନ୍ୟ ସେବା କୈନ୍ଦ୍ରିକ ସହଯୋଗୀ ମାନଦଣ୍ଡ ସହିତ ରାକିଂର ମୁଖ୍ୟ ମାନଦଣ୍ଡ ଭାବରେ ରୋଗୀଙ୍କ ସନ୍ତୁଷ୍ଟି ସ୍ତରକୁ ନେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ଏହା ମଧ୍ୟ ପଢନ୍ତୁ-BSKY Fraud: କଟକ ଘରୋଇ ହସ୍ପିଟାଲରୁ ୧.୧୫ କୋଟି ଜବତ କଲା ପୋଲିସ
ତେବେ ରୋଗୀମାନଙ୍କ ସୁବିଧା ପାଇଁ ଡାକ୍ତରଖାନାର ପ୍ରମୁଖ ସ୍ଥାନରେ ସୂଚନା ଚିହ୍ନ ଲଗାଇବା ଉପରେ ସଚିବ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଇଣ୍ଟରନେଟ୍ ସଂଯୋଗର ଗତି, ଓସୱାସ କାର୍ଯ୍ୟକ୍ଷମତା, ମାନବ ସମ୍ବଳକୁ ମଜଭୁତ କରିବା ଏବଂ BSKY ସଫ୍ଟୱେୟାରର ଉନ୍ନତି ସମ୍ବନ୍ଧୀୟ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି । ସମସ୍ୟାର ସମାଧାନ ସହିତ ବିଭିନ୍ନ କାର୍ଯ୍ୟ ସମାପ୍ତ କରିବା ପାଇଁ ସମୟ ସୀମା ସ୍ଥିର ହୋଇଛି । ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ବୃନ୍ଦା ଡି, ଯୁଗ୍ମ ସିଇଓ ଶୁଭାନନ୍ଦ ମହାପାତ୍ର, ବିଭିନ୍ନ ତାଲିକାଭୁକ୍ତ ହସ୍ପିଟାଲର ଦାୟିତ୍ୱରେ ଥିବା ନୋଡାଲ୍ ଅଧିକାରୀ ଓ ବରିଷ୍ଠ ଅଧଫିସରମାନେ ଉପସ୍ଥିତ ରହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର