ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି ମାରିଲା ଏଏସ୍ଆଇ ଗୋପାଳକୃଷ୍ଣ ଦାସ ? କଣ ହୋଇପାରେ କାରଣ ? ଏଭଳି ଅନେକ ପ୍ରଶ୍ନ ଏବେ ଛିଡ଼ା ହୋଇଛି କ୍ରାଇମବ୍ରାଞ୍ଚ ଆଗରେ । ସ୍ବାସ୍ଥ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଏଭଳି ଅପରାଧ ଘଟାଇଛି । ତେବେ ଏହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଜଣେ ପାଗଳ ବ୍ୟକ୍ତି ଏଭଳି କାର୍ଯ୍ୟ କରିବା ଘଟଣାକୁ ଗ୍ରହଣ କରିପାରି ନାହାନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।
ପାଗଳ ବ୍ୟକ୍ତି ପକ୍ଷରେ ଏହା ଅସମ୍ଭବ: ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି, "ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଅନ୍ଧାଧୁନ ଗୁଳି ଚଳାଇବା କଥା । ଏପରି ପୂର୍ବରୁ ଆମେରିକାରେ ହୋଇଛି । କିନ୍ତୁ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି କେବେବି ଗହଳି ଭିତରେ ପଶି ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇପାରିବ ନାହିଁ । ତେଣୁ ଗୋପାଳ ସୁଚିନ୍ତିତ ଭାବେ ଯୋଜନା କରି ଗୁଳି ମାରିବାକୁ ଆସିଥିଲା । ଦ୍ବିତୀୟ କଥାଟି ହେଲା ମନରେ ପ୍ରତିଶୋଧର ନିଆଁ । ଗୋପାଳଙ୍କ ମନରେ କେଉଁଠି ନା କେଉଁଠି ପ୍ରତିଶୋଧର ନିଆଁ ଜଳୁଥାଇପାରେ । ଯାହାର ବଦଲା ନେବା ପାଇଁ ସେ ଏପରି ଗୁଳି ଚଳାଇଛି ।" ତେବେ ମନ୍ତ୍ରୀଙ୍କୁ ଗୁଳି ଚଳାଇବା ପଛର ବାସ୍ତବ କାରଣ କଣ, ତାହା କ୍ରାଇମବ୍ରାଞ୍ଚ ତଦନ୍ତ ପରେ ସ୍ପଷ୍ଟ ହେବ ।
ପାଗଳ ହୋଇ କିପରି ପାଇଲା ପୁରସ୍କାର ?: ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଗୋପାଳ ଦାସର ସର୍ଭିସ ବୁକ ରେକର୍ଡ । ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ସେ ୮ ଥର ଅର୍ଥରାଶି ପୁରସ୍କୃତ ହୋଇଛନ୍ତି । ୧୮ ଥର ତାଙ୍କୁ ମେଡଲ ମିଳିଛି । ଏସବୁ ମିଳିଛି ଭଲ କାମ କରିବା ପାଇଁ । କର୍ତ୍ତବ୍ୟ ପରାୟଣ ଭାବେ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ ପାଇଁ ଏହି ପୁରସ୍କାର ମିଳିସାରିଛି । ଏପରି ଜଣେ ବ୍ୟକ୍ତି ବିନା କାରଣରେ କାହିଁକି ଗୁଳି ଚଳାଇବ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୀବ ମାରିକ । କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଏହି ଦିଗ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ: ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚର ଟିମ ଓ ଫୋରେନସିକ ଟିମ ଘଟଣାର ତଦନ୍ତକୁ ତ୍ବରାନ୍ବୀତ କରିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କ ଗଞ୍ଜାମସ୍ଥିତ ଘରେ ପହଞ୍ଚି ତନାଘନା କରିଥିଲା । ଏହି ସମୟରେ ଗୋପାଳଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବଡ଼ଭାଇଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ।
ଅନ୍ୟପଟେ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଏବେ ମଧ୍ୟ ଖୋଜାପଡିଛି । ନବ ଦାସଙ୍କର କାହା ସହିତ ରାଜନୈତିକ କିମ୍ବା ବ୍ୟବସାୟିକ ଶତ୍ରୁତା ଥିଲା କି ? ଗୁଳି ଚଳାଇଥିବା ଗୋପାଳ ସହିତ ପୂର୍ବରୁ କେବେ ପାଟିତୁଣ୍ଡ ହୋଇଥିଲା କି ? ରାଗ ରଖି ମନ୍ତ୍ରୀଙ୍କୁ ଟାର୍ଗେଟ କରିନାହିଁ ତ ଗୋପାଳ ? ଆଉ କେହି ଗୋପାଳଙ୍କୁ ମାଧ୍ୟମ କରି ଗୁଳି ଚଳାଇନାହିଁ ତ ? ନବ ଦାସଙ୍କୁ ହତ୍ୟା କରିବା ପାଇଁ ସୁପରିକଳ୍ପିତ ଯୋଜନା କରାଯାଇନାହିଁ ତ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଏବେ କ୍ରାଇମବ୍ରାଞ୍ଚ ପାଇଁ ଜରୁରୀ ହୋଇପଡିଛି ।
ଇଟିଭି ଭାରତ, ଭୁବନେଶ୍ବର