ଭୁବନେଶ୍ବର: ରାଜ୍ୟରେ ମ୍ୟାଲେରିଆ ନିରାକରଣକୁ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ଏପଟେ କିନ୍ତୁ ସ୍ୱାସ୍ଥ୍ୟ ବିଭାଗକୁ ଗୁଣିଆକୁ ଭରସା କରିବାକୁ ପଡୁଛି। ଗୁଣିଆ ପାଖକୁ ଆସୁଥିବା ରୋଗୀଙ୍କ ତଥ୍ୟ ନେଉଛି ସ୍ୱାସ୍ଥ୍ୟ ବିଭାଗ । ଯାହା କେଉଁ ଲୋକଙ୍କର ମ୍ୟାଲେରିଆ ହୋଇଛି କି ଅନ୍ୟ ରୋଗ ହୋଇଛି ତାହା ଗୁଣିଆ ଦେଉଛି ରିପୋର୍ଟ । ଏନେଇ ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀମାନେ ରୋଗୀଙ୍କ ଘରେ ପହଞ୍ଚିବାରେ ସଫଳ ହେଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ମ୍ୟାଲେରିଆ ଏକ ପ୍ରାଣଘାତୀ ରୋଗ ଯାହା କି ପରଜୀବୀ କୀଟାଣୁ ଦ୍ବାରା ବ୍ୟାପିଥାଏ । ମାଈ ଆନୋଫିଲିସ ମଶା କାମୁଡ଼ିବା ଦ୍ବାରା ମ୍ୟାଲେରିଆ ସଂକ୍ରମଣ ହୋଇଥାଏ। ଏହି ମଶା ସାଧାରଣତଃ ରାତିରେ କାମୁଡିଥାଏ। ଦିନଥିଲା ଭାରତରେ ଯେତେ ସଂଖ୍ୟକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିଲେ ସେଥି ମଧ୍ୟରୁ ଓଡିଶାରୁ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହେଉଥିଲେ। ଯେପରି ଭାବରେ ଭାରତର 25% ମ୍ୟାଲେରିଆ ରୋଗୀ ଏବଂ ତତଜନିତ ମୃତ୍ୟୁ ସଂଖ୍ୟାର 30% ଓଡିଶାରୁ ଚିହ୍ନଟ ହେଉଥିଲେ। 2016 ମସିହାରେ 4.4 ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। ସେଥି ମଧ୍ୟରୁ 77 ଜଣ ମୃତ୍ୟୁବରଣ କରିଥିଲେ ।
ସେହିପରି ଭାବରେ 2017 ମସିହାଠାରୁ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ପାଇପାରିଛି। 2022 ମସିହାରେ API ସବୁଠାରୁ କମ ସ୍ଥିରୀକୃତ ହୋଇଥିଲା। ରାଜ୍ୟରେ ଅନେକ ଜିଲ୍ଲା ଏବେ ମ୍ୟାଲେରିଆ ମୁକ୍ତ ହେବାକୁ ଯାଉଛନ୍ତି। 2016 ମସିହା ତୁଳନାରେ 2022 ମସିହାରେ 95% ମ୍ୟାଲେରିଆ ରୋଗୀ କମ ଚିହ୍ନଟ ହୋଇଛନ୍ତି। ଏହିସବୁ ସଫଳତା କେବଳ ବିଭିନ୍ନ ପ୍ରକାର ପରୀକ୍ଷା ସହିତ ଡାକ୍ତର, ଆଶା କର୍ମୀଙ୍କ ଯୋଗଦାନ ଦ୍ବାରା ସମ୍ଭବ ହୋଇପାରିଛି।
2017 ମସିହାରେ1.13 କୋଟି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ ଦ୍ବାରା ପ୍ରାୟ 2.02 କୋଟି ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇପାରିଛି। 2020-21 ମସିହାରେ ରାଜ୍ୟରେ 1.56 କୋଟି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ପ୍ରାୟ 2.60 କୋଟି ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇ ପାରିଛି। ଦମନ ରାଜ୍ୟ ସରକାରଙ୍କ ଏକ ନିଜସ୍ବ ଅଭିନବ କାର୍ଯ୍ୟକ୍ରମ। ଯାହା 2017 ମସିହା ଠାରୁ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ସେହି ଅଞ୍ଚଳରେ ମ୍ୟାଲେରିଆର ରକ୍ତ ପରୀକ୍ଷା ଓ ଚିକିତ୍ସା ଏକା ସାଙ୍ଗରେ ହୋଇପାରୁଛି । ଏହା ଦ୍ବାରା କୌଣସି ଲକ୍ଷଣ ନ ଥିବା ମ୍ୟାଲେରିଆ ରୋଗୀମାନଙ୍କର ଚିହ୍ନଟ ହୋଇପାରୁଛନ୍ତି। 24 ଟି ଜିଲ୍ଲାକୁ ଶୂନ୍ୟ ମ୍ୟାଲେରିଆ ଘୋଷଣା କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ନିୟମିତ ଚାଲିଥିବା ନିରୀକ୍ଷଣ, ତାଲିମ ପ୍ରାପ୍ତ ଆଶା, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ମାନଙ୍କ ଦ୍ବାରା ଗୋଷ୍ଠୀ ସ୍ତରରେ ତୁରନ୍ତ ରକ୍ତ ପରୀକ୍ଷା ଓ ସମ୍ପୂର୍ଣ୍ଣ ଚିକିତ୍ସା ନିଶ୍ଚିତ ହୋଇପାରିଛି ।
ତ୍ବରିତ ଗୋଷ୍ଠୀ ଏକତ୍ରୀକରଣ, ସ୍ବାସ୍ଥ୍ୟ ସଚେତନତା, ପରିଦର୍ଶନ ଓ ତଦାରଖ ମ୍ୟାଲେରିଆ ନିରାକରଣରେ ସୁଶାସନର ଏକ ବଳିଷ୍ଠ ଭୂମିକା ରହିଛି। ବିଭିନ୍ନ ବିଭାଗ ଯଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ, ସ୍କୁଲ ଓ ଗଣଶିକ୍ଷା, ମିଶନ ଶକ୍ତି, ମତ୍ସ୍ୟ ଓ ପଶୁ ସମ୍ପଦ ଉନ୍ନୟନ ଏବଂ ରାଜ୍ୟ ଜୀବିକା ମିଶନ ଇତ୍ୟାଦି ଙ୍କ ସମନ୍ଵୟରେ ବିଭିନ୍ନ ପ୍ରକାର ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟ କରାଯାଇପାରୁଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
ଇଟିଭି ଭାରତ, ଭୁବନେଶ୍ବର