ଭୁବନେଶ୍ବର: ମିଲେଟସ ଆମ ଭାରତର ପାରମ୍ପରିକ ଖାଦ୍ୟ । ଏହି ଲଘୁଶସ୍ୟକୁ ବିଶ୍ବରେ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଶୁଷ୍କ ଅଞ୍ଚଳ ଏବଂ ବହୁ କମ ରାସାୟନିକ ସାର ବ୍ୟବହାରରେ ମିଲେଟ ଚାଷ ହୋଇଥାଏ । ଚାଉଳ ଏବଂ ଗହମ ତୁଳନାରେ ଏଥିରେ ଅଧିକ ସୂକ୍ଷ୍ମ ପୋଷକ ତତ୍ତ୍ୱ ରହିଛି । ପ୍ରୋଟିନର ମାତ୍ରା ମଧ୍ୟ ଅଧିକ । ଏହି ସବୁ ବିଶେଷ ଗୁଣ ଯୋଗୁଁ ମିଲେଟସକୁ ଜଳବାୟୁ ସ୍ମାର୍ଟ ଫସଲ ଭାବରେ ସାଧାରଣରେ ଅଭିହିତ କରାଯାଏ । ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ଅନ୍ତର୍ଜାତୀୟ ମିଲେଟସ ସମ୍ମିଳନୀ ଅବସରରେ ଏହା କହିଛନ୍ତି ।
କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସେ କହିଛନ୍ତି ଯେ, ଏହି ଲଘୁଶସ୍ୟକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ । ଲଘୁଶସ୍ୟକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରହିଆସିଛି । ନିତି ଆୟୋଗ ଏବଂ ଭାରତ ସରକାର ଓଡ଼ିଶା ମିଲେଟ ମିଶନକୁ ବିଭିନ୍ନ ରାଜ୍ୟରେ ପ୍ରୟୋଗ କରିବା ପାଇଁ ଏକ ମଡେଲ ଭାବରେ ଚିହ୍ନଟ କରିଛନ୍ତି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓଡ଼ିଶା ମିଲେଟ ମିଶନକୁ ଏପରି ଏକ ମଡେଲ ଭାବରେ ଚିହ୍ନଟ କରିଛନ୍ତି, ଯାହାକୁ ପୂରା ଭାରତ, ଆଫ୍ରିକା ଓ ଦକ୍ଷିଣ ବିଶ୍ୱରେ ପ୍ରୟୋଗ କରାଯାଇପାରିବ । ଏହି ଅନ୍ତର୍ଜାତୀୟ ସମ୍ମିଳନୀରୁ ବାହାରିଥିବା ନିଷ୍କର୍ଷରୁ ପ୍ରସ୍ତୁତ ନୀତି ରୋଡମ୍ୟାପ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ମିଲେଟସର ଭବିଷ୍ୟତ ରୂପରେଖ ପ୍ରଦାନ କରିବ ।
ରାଜ୍ୟପାଳ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଭବ୍ୟ ଆୟୋଜନ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରଶଂସା କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ମିଲେଟସକୁ ପହଞ୍ଚାଇବା କ୍ଷେତ୍ରରେ ହେଉଥିବା ଆମର ପ୍ରୟାସକୁ ସମର୍ଥନ କରୁଥିବା ହିତାଧିକାରୀ ଓ ସଂଗଠନମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥି ସହିତ ରାଜ୍ୟପାଳ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ ଭାରତ ସରକାରଙ୍କ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଓ ଭାରତର ସବୁ ରାଜ୍ୟ ଏବଂ ହିତାଧିକାରୀଙ୍କ ନିକଟରେ ରାଗିର ମହତ୍ତ୍ୱ ସଂପର୍କରେ ସନ୍ଦେଶ ପହଞ୍ଚାଇବା ଦିଗରେ ବ୍ୟାପକ ଅଭିଯାନ ସଂପର୍କରେ ସୂଚନା ଦେଇଛନ୍ତି ।
କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ପୁଷ୍ଟିଶସ୍ୟ ମାଣ୍ଡିଆ ରାଜ୍ୟ କୃଷିର ଏକ ଅଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । ଓଡ଼ିଶା ମିଲେଟସ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ମିଲେଟସର ଉତ୍ପାଦନ, ପ୍ରକ୍ରିୟାକରଣ ଓ ଲୋକଙ୍କ ଖାଦ୍ୟଥାଳିରେ ପରଷା ଯିବାକୁ ଏକ ନୂଆ ଦିଗ ଦେଇଛି । ଏଥି ସହିତ ଚାଷୀ ଭାଇ ଓ ଭଉଣୀମାନଙ୍କର ଆୟବୃଦ୍ଧି ଓ ମହିଳା ସଶକ୍ତିକରଣ ଦିଗରେ ଏହା ଏକ ପ୍ରମୁଖ ଅସ୍ତ୍ର ଭାବରେ ସାବ୍ୟସ୍ତ ହୋଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ମାଣ୍ଡିଆର ପୌଷ୍ଟିକତା ସଂପର୍କରେ ଲୋକେ ଅଧିକରୁ ଅଧିକ ସଚେତନ ହେବା ଓଡ଼ିଶା ମିଲେଟସ ମିଶନର ସଫଳତା ଦିଗରେ ଏକ ନିର୍ଣ୍ଣାୟକ ଭୂମିକା ନେବ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଶା ମିଲେଟସ ମିଶନ ପରି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭାରତବର୍ଷରେ ନେତୃତ୍ବ ପ୍ରଦାନ କରୁଛି ।
ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରଚାର ପ୍ରସାର ଓ ଲୋକଙ୍କ ଖାଦ୍ୟଥାଳିରେ ମାଣ୍ଡିଆ ପହଞ୍ଚାଇବା ଦିଗରେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, ମିଲେଟକୁ ଆନ୍ତର୍ଜାତିୟ ସମ୍ମିଳନୀ ଆୟୋଜନ କରିବାରେ ଓଡିଶା ଏକମାତ୍ର ରାଜ୍ୟ । ଓଡିଶା ମିଲେଟ ମିଶନକୁ ମଡେଲ ଭାବେ ନିଆଯାଇଛି । ଏହାକୁ ଆଗକୁ ବ୍ୟାପକ କରିବା ଲାଗି ବ୍ୟବସ୍ଥା କରାଯିବ । ଯାହା ଫଳରେ ମିଲେଟର ଆଦୃତି ବଢିବ । ସମ୍ମିଳନୀରେ ମିଳିଥିବା ପରାମର୍ଶକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବୁ । ଭୁବନେଶ୍ୱର ଡିକଲାରେସନ ଅନ ମିଲେଟସ ଓଡ଼ିଶାରୁ ବିଶ୍ଵକୁ ପୃଷ୍ଟିଶସ୍ଯର ପ୍ରଚାର ପ୍ରସାର ପାଇଁ ବାର୍ତ୍ତା ଦେବୁ ।
କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ଯେ, ସଫଳତା ସହ ଏହି ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଶେଷ ହୋଇଛି । ସମ୍ମିଳନୀରେ ୩୪ରୁ ଅଧିକ ସେସନ ଆୟୋଜିତ ହୋଇଛି । ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ପ୍ରତିନିଧି, ରାଜ୍ୟର ଅଧିକାରୀ, କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ପ୍ରମୁଖ ସାମିଲ ହୋଇଥିଲେ । ମିଶନ ଶକ୍ତି ଓ ଚାଷୀ ମଧ୍ୟ ସାମିଲ ହୋଇଥିଲେ । ମିଲେଟକୁ ପ୍ରୋତ୍ସାହନ କରିବା ଲାଗି ଯାହା ଆବଶ୍ୟକ ତାହା ହୋଇଛି । ଫିକିର ସଭାପତି ଶୁଭ୍ରକାନ୍ତ ପଣ୍ଡା ମାଣ୍ଡିଆର ପ୍ରଚାରପ୍ରସାର ଦିଗରେ ଓଡ଼ିଶା ମିଲେଟସ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ଉଦାହରଣୀୟ ବୋଲି କହିଛନ୍ତି ।
ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ମଞ୍ଚରେ ଉପସ୍ଥିତ ଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଉପଲକ୍ଷେ ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ମିଲେଟ ବିଶେଷାଙ୍କ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଛି । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଉପସ୍ଥିତ ଥିଲେ । ଏଥି ସହିତ ରିପୋର୍ଟସ ଅନ ମିଲେଟ ଆଣ୍ଡ ଏସଡିଜିକୁ ମଧ୍ୟ ରାଜ୍ୟପାଳ ଉନ୍ମୋଚିତ କରିଛନ୍ତି । ଏହି ସମ୍ମିଳନୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର