ଖୋର୍ଦ୍ଧା: ରାଜ୍ୟ ରାଜଧାନୀ ଭୁବନେଶ୍ବର ଠାରୁ ମାତ୍ର ୬୫ କିଲୋମିଟର ଦୂରରେ ଗର୍ଭଣୀପଡା ଗାଁ ଅବସ୍ଥିତ। ଏହି ଗ୍ରାମର ଜଳ କଷ୍ଟ ନକହିବା ଭଲ । ସ୍ବାଧୀନତାର ୭୪ବର୍ଷ ପରେ ମଧ୍ୟ ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ । ଏହି ଗ୍ରାମରେ ୬୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । କିନ୍ତୁ ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ପାନୀୟ ଉପଯୋଗୀ ନହେବାରୁ ଗ୍ରାମର କୂଅ ପୋଖରୀରୁ ୨ କିଲୋମିଟର ଚାଲିଚାଲି ଯାଇ ପାଣି ଆଣୁଛନ୍ତି ଗାଁର ମହିଳା ।
୬୦ରୁ ଊର୍ଦ୍ଧ୍ବ ପରିବାର ପାଇଁ ଗୋଟିଏ ନଳକୂପ କରିଥିଲେ ସୁଦ୍ଧା ନଳକୂପ ଖୋଳା ହେବା ଦିନଠାରୁ ପାଣି ବ୍ୟବହାର ଉପଯୋଗୀ ହୋଇପାରି ନଥିଲା । ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘଦିନ ହେବ ଗାଁ ଲୋକଙ୍କ ଶୋଷ ମେଣ୍ଟାଉଛି ଗ୍ରାମ ପୋଖରୀ । କୂଅ ପୋଖରୀ ପାଣି ପିଇ ଗ୍ରାମବାସୀ ନାନା ରୋଗର ଶିକାର ହେଉଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ।
ନିର୍ବାଚନବେଳେ ନେତା ମନ୍ତ୍ରୀ ଗ୍ରାମକୁ ଆସି ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇ ଆସୁଛନ୍ତି । ହେଲେ ତାହା ଫଳପ୍ରଦ ହେଉନାହିଁ । ଆଗକୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ